ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ନିଷ୍ପତ୍ତି ହୋଇଥିବା ପ୍ରକାରେ ଜିଲ୍ଲାରେ ଥିବା ଏକମାତ୍ର ବାଳିକା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ଖୁସି ନିମନ୍ତେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ପାରଳାଖେମୁଣ୍ଡିରେ ଥିବା ଏକ ଘରୋଇ ବସ୍ତ୍ର ଦୋକାନକୁ ନେଇ ନିଜ ମନ ପସନ୍ଦର ଡ୍ରେସ କିଣିବାର ସୁଯୋଗ ପ୍ରଦାନ କରିଛି।
ନିଜର ପିଲାମାନଙ୍କୁ ପିତାମାତା ମାନେ ଯେପରି କୌଣସି ଦୋକାନକୁ ନେଇ ପିଲାକୁ ନିଜ ମନମୁତାବକ ଡ୍ରେସ କିଣିବାରେ ସାହାଯ୍ୟ କରିଥାନ୍ତି ସେହିପରି ଆଜି ଜିଲ୍ଲା ପ୍ରଶାସନ ଅନାଥ ଶିଶୁ ମାନଙ୍କ ପିତାମାତା ସାଜି ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଥିଲା।
ଏହି ଅବସରରେ ପିଲାମାନେ ପ୍ରକାଶ କରିଥିଲେ ଯେ ବାପା ମା ନଥିବା ଯୋଗୁଁ ଆମ୍ଭେମାନେ ଏହି ସୁଯୋଗ କେବେ ପାଇପାରିନଥିଲୁ। କିନ୍ତୁ ଆଜି ଜିଲ୍ଲା ପ୍ରଶାସନ ଯୋଗୁଁ ପାରଳାଖେମୁଣ୍ଡିର ବଡ଼ଦାଣ୍ଡରେ ଥିବା ଶିତତାପ ନିୟନ୍ତ୍ରୀତ ସପିଂ ମଲ୍ ବାରାଟାମ୍ କୁ ଆସି ଆମ ପସନ୍ଦର ପୋଷାକ କିଣିବାର ସୁଯୋଗ ପାଇଥିବାରୁ ଆମ୍ଭେ ବହୁତ ଖୁସି। ଏହି ସୁଯୋଗ ପ୍ରଦାନ କରିଥିବାରୁ ପିଲାମାନେ ଜିଲ୍ଲା ପ୍ରଶାସନକୁ ଅଶେଷ ଧନ୍ୟବାଦ ଜଣାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦର ସଭାପତି , ଶ୍ରୀଯୁକ୍ତ ଜି. ତିରୁପତି ରାଓ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଉକ୍ତ ସପିଂ ମଲରେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରହି ପିଲାମାନଙ୍କ ସହ ସନ୍ଧ୍ୟା ସମୟକୁ ଉପଭୋଗ କରିଥିଲେ ।
ଗଜପତି ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ପ୍ରୀତିକାନ୍ତ ପଣ୍ଡା ଉକ୍ତ ସପିଂ ମଲ୍ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପିଲାମାନଙ୍କ ସହ ରହି ସେମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାରେ ହେଉଥିବା ଏଭଳି କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ ଏବଂ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ଏଭଳି କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦିଆଯିବ ବୋଲି ପ୍ରକାଶ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମଚାରୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.