ଭୁବନେଶ୍ୱର,:ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପୁ୍ୟଟର ସୋସାଇଟି ଅଫ୍ ଇଣ୍ଡିଆ ତରଫରୁ ୧୯ତମ ସିଏସ୍ଆଇ ଏସ୍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଏହି ଏକଦିବସୀୟ କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକୁ ମନୋନୀତ କରାଯାଇ ଏହା ଉପରେ ବକ୍ତାମାନଙ୍କ ତରଫରୁ ଆଲୋକପାତ କରାଯାଇଥିଲା । ଏଥିରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍ ଅଫିସ୍ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ, ଦିଗ୍ଦର୍ଶନ ଓ ପ୍ରେରଣା ଏବଂ ବିଧାନସଭା ସଚିବ ଶ୍ରୀ ଶତପଥୀଙ୍କ ସମେତ କର୍ମଚାରୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ବଳରେ ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ଆଇସି), ଓଡ଼ିଶା ଶାଖା ତରଫରୁ ଦିଆଯାଇଥିବା ପ୍ରୋଜେକଫ ‘ଓଡ଼ିଶା ଆସେମ୍ବ୍ଲି ଜର୍ଣ୍ଣି ଟୁୱାର୍ଡସ୍ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ (ପେପରଲେସ୍ ଆସେମ୍ବ୍ଳି)’କୁ ପୁରସ୍କୃତ କରାଯାଇଥିଲା । ମାନ୍ୟବର ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ ଶ୍ରୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀମତୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ଶ୍ରୀମତୀ ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଶ୍ରୀମତୀ ଆରତୀ ମିଶ୍ର, ମୁଖ୍ୟ ଅତିଥି, ଆହ୍ଲାବାଦ୍ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଶ୍ରୀ ଅଜିତ ସିଂଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶା ବିଧାନସଭାର ସମସ୍ତ ବିବରଣୀ, ଦସ୍ତାବିଜ୍ ଓ ନଥିପତ୍ରକୁ ଡିଜିଟାଲାଇଜ୍ କରିବା ସହିତ ଏହି କଷ୍ଟଲବ୍ଧ ପ୍ରକଳ୍ପକୁ ପ୍ରସ୍ତୁତ କରିଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ବିଧାନସଭାରେ ଆହୁରି ଅନେକ ନୂତନତ୍ୱ ଅଣାଯିବ ।
ବାଚସ୍ପତିଙ୍କ ବଳିଷ୍ଠ ନେତୃତ୍ୱ, ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ପ୍ରେରଣା ଓ ସମସ୍ତଙ୍କ ମିଳିତ ଉଦ୍ୟମ ବଳରେ ଆଜି ଓଡ଼ିଶା ବିଧାନସଭାକୁ ସଂପୂର୍ଣ୍ଣ ଡିଜିଟାଲାଇଜ୍ କରାଯିବା ସହ ସର୍ବଭାରତୀୟ ସ୍ୱୀକୃତି ମିଳିପାରିଛି ବୋଲି ସଚିବ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post