ବଡ଼ବିଲ (ଶାସକ ପ୍ରଶାସକ): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଞ୍ଚାୟତର କାଶିଆ ସ୍ଥିତ ଲୌହ ଖଣିରେ ପ୍ରଭାବିତ ଗ୍ରାମବାସୀ ଆନ୍ଦୋଳନ କରିବା ସହ ଖଣି ସମ୍ମୁଖରେ ଧାରଣା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ତିନି ମାସରୁ ଉର୍ଦ୍ଧ କାଳ ହେଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ କମ୍ପାନୀ କାଶିଆ ଖଣିରୁ ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରିଛି। ତେବେ ଖଣି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିନ୍ଦଲ କମ୍ପାନୀ ପ୍ରଭାବିତ ଗ୍ରାମବାସୀଙ୍କୁ ନିଯୁକ୍ତି, ପରିବହନ କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରାଧାନ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦେବା ଇତ୍ୟାଦି ପ୍ରତିଶୃତି ଦେଇଥିଲା। ତେବେ କମ୍ପାନୀ କୌଣସି ପ୍ରତିଶୃତି ପାଳନ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହିତ କମ୍ପାନୀ ସ୍ଥାନୀୟ ଗ୍ରାମବାସୀଙ୍କୁ ଉପେକ୍ଷା କରି ବାହାର ଆଞ୍ଚଳର ପରିବହନ ସଂସ୍ଥାକୁ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ତେଣୁ ଗ୍ରାମବାସୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ଯାଇ ବିଫଳ ହୋଇଥିଲେ। କ୍ଷୁବ୍ଧ ଗ୍ରାମବାସୀ ତାଙ୍କ ବିରୋଧରେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Next Post