ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଗତ ଚୈତ୍ର ମାସର ଶୁକ୍ଲ ପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏ ମଲ୍ଲୀ ଝୁଲଣ ଅନୁଷ୍ଠିତ ହୋଇଥାଏ । ବସନ୍ତ ଋତୁର ଆଗମନରେ ପୃଥ୍ୱୀ ପୃଷ୍ଟରେ ବିଭିନ୍ନ ପ୍ରକାର ପୁଷ୍ପରେ ଶୋଭାୟମାନ ହୋଇଥାଏ ।
ଏହି ପୁଷ୍ପମାନଙ୍କ ସୁଗନ୍ଧକୁ ଉପଭୋଗ କରିବା ନିମନ୍ତେ ରାଧାଗୋବିନ୍ଦ ବିହରଣ କରିଥାନ୍ତି । ସଖୀ ମଂଜରୀ ମାନେ ଯୁଗଳଙ୍କ ନିମନ୍ତେ ବିଭିନ୍ନ ସୁଗନ୍ଧିତ ପୁଷ୍ପରେ ସୁଶୋଭିତ ଝୁଲଣ (ଦୋଳି) ନିର୍ମାଣ କରି ତା ମଧ୍ୟରେ ରାଧାଗୋବିନ୍ଦଙ୍କୁ ବିରାଜମାନ କରାଇ ସେବା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ଯୁଗ ମୂର୍ତ୍ତୀକୁ ସଖୀ
ମଂଜରୀ ମାନେ ଆଲଟ ଚାମର ତଥା ବିଭିନ୍ନ ପ୍ରକର ନୃତ୍ୟ , ବାଦ୍ୟଯନ୍ତ୍ର , ସଂଗୀତ ମାଧ୍ୟମରେ ମନୋରଂଜନ କରିଥାନ୍ତି।
ଏହି ସମୟରେ ମଲ୍ଲୀ ପୁଷ୍ପରେ ରାଧାଗୋବିନ୍ଦଙ୍କୁ ଶୃଙ୍ଗାର କରାଯାଇଥାଏ। ଏହି ସମସ୍ତ ତଥ୍ୟ ଗରୁଡ ପୁରାଣ ଓ ପଦ୍ମପୁରାଣ ଭଳି ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି।
ପଦ୍ମ ପୁରାଣ ଅନୁଯାୟୀ କାର୍ତ୍ତିକ ରଥ , ଚୈତ୍ରେ ଦୋଳ ତଥା ମଦନ କାରୋପଣ ଏବଂ ଶ୍ରାବଣରେ ସନ୍ଥ ପର୍ବରେ ଯେଉଁ ବ୍ୟକ୍ତିମାନେ ଦର୍ଶନ କରନ୍ତି, ସେମାନଙ୍କର ଜନ୍ମ ଜନ୍ମାନ୍ତରର ପାପ ନଷ୍ଟ ହୋଇଯାଇଥାଏ । ପଦ୍ମ ପୁରାଣ ବ୍ୟତୀତ ଗରୁଡ ପୁରାଣରେ ମଧ୍ୟ ଏହା ବର୍ଣ୍ଣତ ହୋଇଅଛି ଯେ, କଳିକାଳେ ଚୌତ୍ର ଶୁକ୍ଲ ପକ୍ଷେ ଝୁଲଣ ମଣ୍ଡପ ଉପରେ ଉଭୟ ରାଧା ଗୋବିନ୍ଦଙ୍କୁ ଯେଉଁମାନେ ପୂଜା କରନ୍ତି କିମ୍ବା ଦର୍ଶନ କରନ୍ତି ସେମାନଙ୍କର ଜନ୍ମ ଜନ୍ମାନ୍ତରର ପାପ କ୍ଷୟ ହୋଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ।
ଏହାକୁ ଆଧାର କରି ଗୋସ୍ୱାମୀ ମାନେ ଉକ୍ତ ମାସରେ ଝୁଲଣ ଯାତ୍ରା ଅନୁଷ୍ଠିତ କରିଥାନ୍ତି । ଯାହାକି ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ନୃସିହଂନାଥ ମଠରେ ମଲ୍ଲୀ ଝୁଲଣ ନାମରେ ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଅନୁଷ୍ଠିତ ହୋଇ ଆସୁଅଛି ।
ଉକ୍ତ ଝୁଲଣ ଯାତ୍ରା ଶ୍ରୀ ମହନ୍ତ ମଦନ ଗୋପାଳ ଦାସଜୀ ମହାରାଜା, ଶ୍ରୀ ମଧୁସୁଦନ ଦାସ ମହାରାଜା ଏବଂ ଶିଷ୍ୟ ଓ ଭକ୍ତ ବୃନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଆସୁଛି । ସଂକୀର୍ତ୍ତନ ମଣ୍ଡଳୀର ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ , ଲଳିତ ମୋହନ ଦାଶଙ୍କ ଦ୍ୱାରା ଦାଶକାଠିଆ ନାଟକ ଆଦି କାର୍ଯ୍ୟକ୍ରମ ପରିବେଷିତ ହୋଇ ଆସୁଛି । ଏହି ଯାତ୍ରାରେ ମିଷ୍ଠାନ ବଣ୍ଟନ , ଅନ୍ନ ପ୍ରସାଦ ଆଦି କାର୍ଯ୍ୟକ୍ରମ ହୋଇ ଆସୁଛି । ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ପାରଳାସହରରେ ବହୁ ଭକ୍ତ ବୃନ୍ଦଙ୍କ ସମାବେଶ ହୋଇଥାଏ । ଏହି ଝୁଲଣ ଯାତ୍ରା ସମଗ୍ର ସହରର ଏକମାତ୍ର କରଣସାହି ସ୍ଥିତ ନୃସିଂହନାଥ ମନ୍ଦିରରେ ୬ଦିନ ଧରି ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.