ଶିକ୍ଷକ ସମାଜ ପ୍ରତି ଅର୍ଜୁନ ଦାଶଙ୍କ ଅବଦାନ ଅବିସ୍ମରଣୀୟ

0

ଦୁର୍ଯ୍ୟୋଧନ ରାଉତ ପାଇଲେ “ଅର୍ଜୁନ ଦାଶ ସ୍ମୃତି ସମ୍ମାନ”

ଜଗତସିଂହପୁର,/ସୁମନ୍ତ କୁମାର ଦାସ:କ୍ରାନ୍ତିକାରୀ ଶିକ୍ଷକନେତା ତଥା ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ପୂର୍ବତନ ସଭାପତି ଅର୍ଜୁନ ଚରଣ ଦାଶଙ୍କ ନବମ ଶ୍ରାଦ୍ଧୋତ୍ସବ ନାଉଗାଁ ସ୍ଥିତ ଜାଗୁଳାଇ ମନ୍ଦିର ପରିସରରେ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆଜି ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ‌ ଆର୍ଚାର୍ଯ୍ୟ ଏହି ସଭାରେ ଅଧ୍ୟକ୍ଷତା କରି ଶିକ୍ଷକ ସମାଜ ପ୍ରତି ସ୍ବର୍ଗତ ଅର୍ଜୁନ ଦାଶଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ମହେଶ ଚୌଧୁରୀ ଯୋଗ ଦେଇ ଶିକ୍ଷକମାନଙ୍କୁ ଚାକିରି ବିଷୟରେ,ପ୍ରତ୍ୟକ୍ଷ ଅନୁଦାନ ଓ ପେନ୍‌ସନ ପ୍ରଦାନ କ୍ଷେତ୍ରରେ ସ୍ବର୍ଗତ ଅର୍ଜୁନ ଦାଶଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି କହିଥିଲେ । ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପୂର୍ବତନ ଜିଲ୍ଲା ସଂପାଦକ ଶରଦା ପ୍ରସନ୍ନ ସିଂ ମୁଖ୍ୟବକ୍ତା ଭାବେ ଆଲୋଚନାରେ ଅଂଶ ଗ୍ରହଣ କରି ଶିକ୍ଷକ ମହାସଂଘର ଗଠନ ଓ ବିଭିନ୍ନ ଆନ୍ଦୋଳନ ସମୟରେ ସ୍ଵର୍ଗତ ଦାଶଙ୍କ ଭୂମିକା କୌଣସି ଗୁଣରେ କମ୍ ନଥିଲା । ବିଶେଷକରି ଆନ୍ଦୋଳନ ସମୟରେ ତାଙ୍କର ଶାଣିତ ବକ୍ତବ୍ୟ ଶିକ୍ଷକ ସମାଜକୁ ଉଦ୍‌ବୁଦ୍ଧ କରିବାରେ ସହାୟକ ହେଇଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଶିବପ୍ରସାଦ ଲେଙ୍କା, ବ୍ରହ୍ମାନନ୍ଦ ସାହୁ, ଲକ୍ଷ୍ମୀଧର ବସ୍ତିଆ, ବିରଞ୍ଚି ନାରାୟଣ ମହାନ୍ତି, ଖିରୋଦ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇ ସ୍ଵର୍ଗତ ଅର୍ଜୁନ ଦାଶଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ରାଉତଙ୍କୁ ଚଳିତ ବର୍ଷ ପାଇଁ “ଅର୍ଜୁନ ଦାଶ ସ୍ମୃତି ସମ୍ମାନ”ରେ ସମ୍ବନ୍ଧିତ କରାଯାଇଥିଲା। ଶେଷରେ ନାଉଗାଁ ବ୍ଲକର ପୂର୍ବତନ ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.