ରାଉରକେଲା ଇସ୍ପାତ କାରଖାନାର ସ୍ପେଶାଲ ପ୍ଳେଟ ପ୍ଳାଣ୍ଟ ବିଭାଗ ଦ୍ଵାରା ଜୁଲାଇ ମାସରେ ସର୍ବକାଳୀନ ଶ୍ରେଷ୍ଠ ମାସିକ ଚାଲାଣ

0

 

08-08-18-KTS.jpg - 56.16 kB

ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସ୍ପେଶାଲ ପ୍ଳେଟ ପ୍ଳାଣ୍ଟ ବିଭାଗ ୨୦୧୮ ଜୁଲାଇ ମାସରେ ୬୫୭ ଟନ ହିଟ ଟ୍ରିଟେଡ ସ୍ପେଶାଲ ପ୍ଳେଟ ଚାଲାଣ କରି ସର୍ବକାଳୀନ ଶ୍ରେଷ୍ଠ ମାସିକ ଚାଲାଣ ରେକର୍ଡ ହାସଲ କରିଛି। ଏଥିପୂର୍ବରୁ ବିଭାଗର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ ମାର୍ଚ୍ଚ ମାସରେ ୫୧୧ ଟନ ପ୍ଳେଟ ଚାଲାଣ ପୂର୍ବକ ହାସଲ ହୋଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ବିଭାଗ ପ୍ଳେଟ ଚାଲାଣ କ୍ଷେତ୍ରରେ ଅନୁରୂପ ପୂର୍ବ ବର୍ଷ ତୁଳନାରେ ୪୦.୨୨% ଅଭିବୃଦ୍ଧି ହାସଲ କରିଛି। 

 ୧୯୬୯ ମସିହାରେ ସ୍ଥାପନା ପରଠାରୁ ଅଦ୍ୟାବଧି ବିଭାଗ ବିଭିନ୍ନ ପ୍ରତିଷ୍ଠାନକୁ ୮୮୦୦୦ ଟନ ପ୍ଳେଟ ଉତ୍ପାଦନ ଓ ଚାଲାଣ କରିସାରିଛି। ସମ୍ପ୍ରତି ନୂତନ ଅତିରିକ୍ତ ହିଟ ଟ୍ରିଟମେଣ୍ଟ ସୁବିଧାର ଉପଲବ୍ଧତା ସହିତ ଏସପିପି ଏହାର ଉତ୍ପାଦନ କ୍ଷମତାରେ ବୃଦ୍ଧି ଆଣିବା ଦିଗରେ ଅଗ୍ରସର ରହିଛି । ପ୍ରତିରକ୍ଷା ଓ ଅନ୍ୟାନ୍ୟ ଅଣ ପ୍ରତିରକ୍ଷା ଉପଯୋଗୀ କ୍ଵେଞ୍ଚଡ ଓ ଟେମ୍ପରଡ ସ୍ପେଶାଲ ପ୍ଳେଟ ଉତ୍ପାଦନର ଯେକୌଣସି ଆହ୍ଵାନକୁ ଗ୍ରହଣ କରିବା ନିମନ୍ତେ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଉଲ୍ଲେଖନୀୟ ଯେ, ଏହା ନୂତନ ହିଟ ଟ୍ରିଟମେଣ୍ଟ ସୁବିଧାରୁ ଫର୍ଣ୍ଣେସ ନର୍ମାଲାଇଜଡ ପ୍ଳେଟ ଉତ୍ପାଦନ ମଧ୍ୟ ଆରମ୍ଭ କରିଛି। ଏହି କ୍ରମରେ  ୨୦୧୮ ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ବିଭାଗ ୬୦ ମିଲିମିଟର, ୭୦ ମିଲିମିଟର ଓ ୧୧୦ ମିଲିମିଟର ମୋଟେଇ ସମ୍ପନ୍ନ ଫର୍ଣ୍ଣେସ ନର୍ମାଲାଇଜଡ ବଏଲର ମାନର ୫୭୩ ଟନ ପ୍ଳେଟ ଭେଲ (ବି.ଏଚ.ଇ.ଏଲ.)କୁ ଯୋଗାଇଦେଇଛି। ସୂଚନାଯୋଗ୍ୟ ଯେ, ଆରଏସପିର ସ୍ପେଶାଲ ପ୍ଳେଟ ମିଲ ଭାରତୀୟ ନେଭି ଓ ଗୋଲାବାରୁଦ କାରଖାନା ନିମନ୍ତେ ହିଟ ଟ୍ରିଟେଡ ଆର୍ମର ଗ୍ରେଡ  ପ୍ଳେଟ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅକ୍ତିଆର କରିଛି।  

 

Leave A Reply

Your email address will not be published.