ଯୋଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

0

ଯୋଡ଼ା/ବଡ଼ବିଲ (ଶାସକ ପ୍ରଶାସକ):ଯୋଡ଼ାରେ ଜୈନେକ ସାମ୍ବାଦିକ ସତ୍ୟଜିତ ଦାସଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ଦେଢଟା ସମୟରେ ଯୋଡ଼ା ସିନେମାହଲ୍ ନିକଟରେ ଏହି ଆକ୍ରମଣ ହୋଇଥିଲା। ଏ ନେଇ ଯୋଡ଼ା ପୋଲିସ୍ ସୂଚନା ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଆହତ ସତ୍ୟଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ଷ୍ଟିଲ ଡାକ୍ତରଖାନାକୁ ନେଇଥିଲା। ସେଠାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆକ୍ରମଣକାରୀ ଯୁବକ ରିପୁନ ଦାସ ଫେରାର ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଗାମୀ ପୋୖର ନିର୍ବାଚନରେ ୱାର୍ଡ ପ୍ରାର୍ଥୀ ହେବାକୁ ନେଇ ରଞ୍ଜିତ ମହାକୁଡ଼ ଓ ଜଗନ୍ନାଥ ପାଣିଗ୍ରାହୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ତେବେ ଆଜି ରଞ୍ଜିତ ମହାକୁଡ଼ଙ୍କ ପୁଅ ବିଜୟ ମହାକୁଡ଼, ଫୋନ୍ କରି ସତ୍ୟଜିତଙ୍କୁ ସିନେମାହଲ ନିକଟକୁ ଡକାଇଥିଲେ । ସତ୍ୟଜିତଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ସେ ପହଁଚିବା ବେଳକୁ ରଞ୍ଜିତ ମହାକୁଡ଼ ଓ ଜଗନ୍ନାଥ ପାଣିଗ୍ରାହୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମାରପିଟ ହେଉଥିଲା। ଏହି ସମୟରେ ସେ ପ୍ରତିବାଦ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ବୋଲି କହିଛନ୍ତି। ରିପୁନ ଦାସ ନାମକ ଜଣେ ଯୁବକ ହଠାତ୍ ତାଙ୍କୁ ଏକ ଠେଙ୍ଗାରେ ବାଡ଼େଇବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ସେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାରେ ଜଗନ୍ନାଥ ପାଣିଗ୍ରାହୀ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାକୁ ବଡ଼ବିଲ ପ୍ରେସ କ୍ଲବ ତରଫରୁ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଯୋଡ଼ା ପୋଲିସ ପୁରା ଘଟଣାର ତଦନ୍ତ ଚଳାଇଥିବାର ଜଣାପଡିଛି।

Leave A Reply

Your email address will not be published.