ମୁଖ୍ୟ ଚିକିତ୍ସାଳୟରେ ଏମଆରଆଇ ସ୍କାନ ଉଦ୍ଘାଟିତ

0

29-07-18-MRI-Center-inagura.jpg - 85.46 kB

ବାଲେଶ୍ୱର/Ujjwal kar : ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଏମଆରଆଇ ସ୍କାନ ଚିକିତ୍ସା ବ୍ୟବସ୍ଥା’ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଏମଆରଆଇ ସ୍କାନ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ନିଦାନ ଯୋଜନାରେ ପୂର୍ବରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ନିଃଶୁଳ୍କ ଡାଇଲେସିସ୍ ଏବଂ ସିଟିସ୍କାନ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଥିଲେ । ଉତ୍ତର ଓଡିଶାର ରୋଗୀଙ୍କ ପାଇଁ ଏମଆରଆଇ ସ୍କାନର ଆବଶ୍ୟକତା ରହିଥିବା ଏହା ରାଗୀଙ୍କୁ ବେଶ ସହାୟକ ହେବ ବୋଲି ସାଂସଦ ଶ୍ରୀ ଜେନା ପ୍ରକାଶ କରିଥିଲେ । ପୂର୍ବରୁ ରୋଗୀମାନଙ୍କୁ ଏଥି ପାଇଁ କଟକ ବା ଭୁବନେଶ୍ୱର ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ବେଳେ ଏବେଠାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ଦେୟରେ ଏହି ସୁବିଧା ମିଳିପାରିବ ବୋଲି ସେ କହିଥିଲେ । ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ପୌରପାଳ ଆଲୋକ କୁମାର ସାହୁ, ପୌର ଉପାଧ୍ୟକ୍ଷା ରଶ୍ମୀରେଖା ଦେବ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବାଲେଶ୍ୱର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସରକାରୀ ମେଡିକାଲ କଲେଜ ହସପିଟାଲରେ ରୁପାନ୍ତରିତ ହେବା ପରେ ରୋଗୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବା ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୀନାକ୍ଷୀ ରାୟ, ସୁପରିଟେଂଣ୍ଡେଂଟ ଡା. ବିବେକାନନ୍ଦ ଦାସ, ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ପ୍ରତାପ ରଥ, ମେଡିକାଲ କଲେଜ ସୁପରିଟେଂଣ୍ଡେଂଟ ଡା. ଅନୁପ ଘୋଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 

Leave A Reply

Your email address will not be published.