ଶିଶୁ ସୁରକ୍ଷା ପାଇଁ ଗଜପତିରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପ୍ରତିଜ୍ଞା”

0 2

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲାର କିଶୋରୀ ବାଳିକାଙ୍କ ଦ୍ଵାରା ଶିଶୁ ସୁରକ୍ଷା ଓ ଅଧିକାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ଶୁଭ ଉଦଘାଟନ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଗଜପତି ଜିଲ୍ଲାର କିଶୋରୀ ବାଳିକାଙ୍କ ମଧ୍ୟରେ ପ୍ରତିଫଳିତ କରିବା ପାଇଁ ଗତ ୩ ଦିନ ହେଲା ସୁଦୂର ମାଲକାନଗିରିରୁ ଆସିଥିବା “ବଡଦିଦି” କାର୍ଯ୍ୟକ୍ରମର କର୍ମକର୍ତ୍ତା ମାନେ ଜିଲ୍ଲାର ସାତ ଗୋଟି ବ୍ଲକ୍ ର କିଶୋରୀ ବାଳିକା , ଏନ୍.ଏସ୍ ଏସ୍ , ଏନ୍.ସି.ସିର ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରି ନିଜ ଜିଲ୍ଲାର ଅନୁଭୂତିକୁ ବାଣ୍ଟିବା ସହ ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷାର କେତେ ଆବଶ୍ୟକ ଅଛି ତାହାକୁ ଅନୁଭବ କରାଇ ପାରିଥିଲେ। ଏହି କାର୍ଯ୍ୟକ୍ରମ ମୋହନା , ନୂଆଗଡ , ରା.ଉଦୟଗିରି ପଞ୍ଚାୟତ ସମିତି ପାଇଁ ରା.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ , କାଶୀନଗର , ଗୁମ୍ମା , ରାୟଗଡ ଓ ଗୋଷାଣୀ ପଞ୍ଚାୟତ ସମିତି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ପାରଳାଖେମୁଣ୍ଡି ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକାର୍ତ୍ତାଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ପାରଳାଖେମୁଣ୍ଡି ଠାରେ ତାଲିମ ଅନୁଷ୍ଠିତ ହୋଇଥିଲା। ଶେଷ ଦିନରେ ସମସ୍ତ କିଶୋରୀ ବାଳିକାଙ୍କ ମତାନୁସାରେ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କଥା ନିଷ୍ପତ୍ତି ହେଲା ପରେ କିଶୋରୀ ବାଳିକା ମାନେ କାର୍ଯ୍ୟକ୍ରମର ନାମ ଦେଇଥିଲେ “ପ୍ରତିଜ୍ଞା’ ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଜିଲ୍ଲାରୁ ଶିଶୁ ଶ୍ରମିକ ମୁକ୍ତ କରିବା , ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା , ଜିଲ୍ଲାରେ କେହି ହେଲେ ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ , ଜିଲ୍ଲାର କୌଣସି ଶିଶୁ ଯେପରି ଯୌନ ନିର୍ଯାତିତ ହେବେ ନାହିଁ ସେଥିପ୍ରତି ଏକ ସୁରକ୍ଷା ବଳୟ ତିଆରି କରିବା , ଜିଲ୍ଲାକୁ ଶିଶୁ ଚାଲାଣରୁ ମୁକ୍ତ କରିବା , ଜିଲ୍ଲାର ଶେଷ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା , ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ଥଇଥାନ କରିବା।
ଏହି କାର୍ଯ୍ୟକ୍ରମକୁ ୨୦୨୫ ପୂର୍ବରୁ ସମ୍ପୂର୍ଣ୍ଣ କରିବା ହାତକୁ ନେଇଥିବା ରଣନୀତି ଗୁଡିକ ହେଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚ , ଯୁବ ଗୋଷ୍ଠୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ଏନ୍ ସି ସି ଏବଂ ୟୁଥ ରେଡ୍କ୍ରସର ସ୍ବେଚ୍ଛାସେବୀ ଏବଂ ନିର୍ଯ୍ୟାତିତ ଶିଶୁ ମାନେ ଆଗଧାଡିର କର୍ମୀ ହୋଇ କାର୍ଯ୍ୟକରିବେ , ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ନିୟମିତ ବୈଠକ କରି ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା , ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ପୁନଃ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷାରେ ନିୟୋଜିତ କରାଇବା , ବିଭିନ୍ନ ସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ଟାସ୍କଫୋର୍ସକୁ ସଶକ୍ତିକରଣ କରିବା , ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା।
ଏହି କାର୍ଯ୍ୟକ୍ରମକୁ ଆସନ୍ତା ଦିନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସମସ୍ତଙ୍କର ସହଯୋଗ କାମନ କରିବା ସହ ଯେଉଁ ଅଙ୍ଗନବାଡି କର୍ମୀ ଏବଂ ସୁପରଭାଇଜର ବାଲ୍ୟବିବାହ ରୋକିବା ନିମନ୍ତେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବେ ତାଙ୍କୁ ଗଣତନ୍ତ୍ର ଦିବସରେ ଜିଲ୍ଲାରେ ସମ୍ମାନିତ କରିବା ସହିତ ସେମାନଙ୍କ ନାମକୁ ସାହସିକତା ପୁରସ୍କାର ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଥିଲେ ।
ଏହି ଅବସରରେ ଜିଲ୍ଲାରେ ଚାଲୁ ରହିଥିବା ଆଶୀର୍ବାଦ ଯୋଜନାରେ ଭଲ ପ୍ରଦର୍ଶନ ଦେଖାଇଥିବା ଦୁଇ ଜଣ ଅଙ୍ଗନବାଡି କର୍ମୀ ଶ୍ରୀମତୀ ଦମୟନ୍ତୀ ଭୂୟାଁ , ଗୁମ୍ମା ବ୍ଲକ୍ ଓ ଶ୍ରୀମତୀ ଆରୁଦ୍ରା ଶବର , ରାୟଗଡ ବ୍ଲକ୍ ଓ ମାଲକାନଗିରିରୁ ଆସିଥିବା “ବଡଦିଦି” ଟିମ୍ ର ସଦସ୍ୟ ସୁଶ୍ରୀ ଜୟନ୍ତୀ ବୁରୁଦା , ସୁଶ୍ରୀ ଭବାନୀ ହରିଜନ ଓ ସୁଶ୍ରୀ ଜ୍ୟୋତିର୍ମୟୀ ଖରାଙ୍କ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ଉପରୋକ୍ତ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିନତୀ ଦେଇ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଚାଲିଥିଲା ବେଳେ ଏଥିରେ ସମସ୍ତ ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ , ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ , ଚାଇଲ୍ଡଲାଇନ୍ , ସଖୀ , ପଞ୍ଚାୟତ ସମିତି ସ୍ତରୀୟ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଆକ୍ସନଏଡ଼ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଓ ୟୁ ଏନ୍ ଏଫ୍ ପି ଏର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.