ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ ଜିଲ୍ଲା କଂଗ୍ରେସ କମିଟି ଘୋଷଣା କରିଛନ୍ତି ଏହି ନୂଆ କମିଟିରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ କନିଷ୍ଠ ପୁତ୍ର ମନୋଜ କୁମାର ସାହୁଙ୍କୁ ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ମିଳିଛି ।
ଏହି ଦାୟିତ୍ୱ ମିଳିବା ପରେ ମନୋଜ କୁମାର ସାହୁ ଖୁସି ପ୍ରକାଶ କରିବା ସହ ବାପାଙ୍କ ପଥ ଅନୁସରଣ କରି ଲୋକଙ୍କ ସେବା କରିବି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ , ସ୍ୱର୍ଗତ ତ୍ରିନାଥ ସାହୁ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ସାହୁ ପ୍ରଥମେ ୧୯୮୫-୧୯୯୦ କଂଗ୍ରେସ ପରେ ୧୯୯୫-୨୦୦୦ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ହେଁ ପରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହାପରେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ ଦଳ ତରଫରୁ ଟିକଟ ପାଇ ଏପରି ଭାବେ ୪ଥର ଲେଖାଏଁ ବିଧାୟକ ରହିଥିଲେ । ଏହାସହ ୧୯୮୫ ପୂର୍ବରୁ ସେ ୩ ଥର ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏପରି ଜଣେ ପ୍ରତିଷ୍ଠିତ ବିଧାୟକଙ୍କ ହଠାତ୍ ୧୮.୦୯.୨୦୦୯ ରେ ବିୟୋଗ ଘଟିଥିଲା । ଇତି ମଧ୍ୟରେ ତାଙ୍କ ସାନପୁଅ ମନୋଜ କୁମାର ସାହୁ ବାପାଙ୍କ ପଥ ଅନୁସରଣ କରି କଂଗ୍ରେସ ଦଳରେ ଜଣେ ଦକ୍ଷ ଯୁବ ନେତା ଭାବେ ଉଭା ହୋଇଥିଲେ । ମନୋଜ ଛାତ୍ର ଅବସ୍ଥାରୁ ହିଁ ସକ୍ରିୟ ରାଜନୀତିରେ ଯୋଡି ଯାଇଥିଲେ । ସେ ୨୦୦୨ ମସିହାରେ ଏସ୍କେସିଜି କଲେଜର ଛାତ୍ର ୟୁନିୟନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୩ ରେ ଛାତ୍ର କଂଗ୍ରେସର ସଭାପତି, ୨୦୧୨ରେ ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବା ସଙ୍ଗେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଏହାପରେ ପୁଣି ବର୍ତ୍ତମାନ ୨୦୨୧ରେ ନଗର କଂଗ୍ରେସ ସଭାପତି ଭାବେ ଘୋଷଣା କରାଯାଇଛି ।
ଦୀର୍ଘ ୨ ଦଶନ୍ଧି ଧରି କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି ମନୋଜ । ମନୋଜଙ୍କୁ ନଗର କଂଗ୍ରେସ ସଭାପତି ପଦବୀ ମିଳିବା ପରେ ସହରର ବିଶେଷ କରି ଯୁବ ଗୋଷ୍ଠୀ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏନେଇ ମନୋଜ କହିଛନ୍ତି ଦଳର ହାଇକମାଣ୍ଡ ମୋତେ ଯେଉଁ ଆଶା ଭରଷାରେ ଗୁରୁ ଦାୟିତ୍ୱ ଦେଇଛନ୍ତି ତାହାକୁ ପୁରଣ କରିବା ସହ ସବୁ ବର୍ଗ , ସବୁ ସମ୍ପ୍ରଦାୟର ଲୋକଙ୍କୁ ନେଇ ଚାଲିବି ଏବଂ କଂଗ୍ରେସର ହାତମୁଠାକୁ ଟାଣ କରିବି ବୋଲି କହିଛନ୍ତି ।
ଏହାସହ ତାଙ୍କୁ ଏହି ଦାୟିତ୍ୱ ଦେଇଥିବାରୁ କଂଗ୍ରେସ ଅଧ୍ୟକ୍ଷା ସନିଆ ଗାନ୍ଧୀ , ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ , ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ , ରାଜ୍ୟ ପ୍ରଭାରୀ ଡ.ଚେଲ୍ଲା କୁମାର ,ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥୀ ଗମାଙ୍ଗ , ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମହାନ୍ତି , ସାନଖେମୁଣ୍ଡି ବିଧାୟକ ରମେଶ ଜେନା , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ, ମିଟୁ ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.