ପଦଯାତ୍ରାରେ ସଚେତନତା ବାର୍ତ୍ତା ବାଣ୍ଟିଲା ‘ସମାଜ’

0

ଭୁବନେଶ୍ବର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ‘ସମାଜ’ର ୧୦୨ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀରେ କରୋନା ସଚେତନତା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟବାସୀଙ୍କ ଆଶୀର୍ବାଦ ଓ ବିଶ୍ବସନୀୟତାକୁ ନେଇ ଚାଲିଥିବା ‘ସମାଜ’ ମହାମାରୀ କରୋନାରୁ ମୁକ୍ତି ପାଇଁ ସତର୍କ ଓ ସଜାଗ ରହିବାର ବାର୍ତ୍ତା ବାଣ୍ଟିଛି। ଚିରାଚରିତ ଭାବେ କୌଣସି ଜାକଜମକ କାର୍ଯ୍ୟକ୍ରମ ପରିବର୍ତ୍ତେ ସୁସ୍ଥ ରହିବା ସହ କରୋନା ମହାମାରୀରୁ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେନେଇ ‘ସମାଜ’ ପ୍ରଚେଷ୍ଟା କରିଛି।
ଏହି ଅବସରରେ ସୋମବାର ସକାଳେ ରାମମନ୍ଦିର ସମ୍ମୁଖରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ କରୋନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ‘କରୋନା ହାରିବ ଆମେ ଜିତିବା’, ‘ତୁଣ୍ଡି(ମାସ୍କ) ପରିଧାନ କରିବା’ ଭଳି ବିବିଧ ସଚେତନତାଧର୍ମୀ ପ୍ଲା-କାର୍ଡ ଧରି ‘ସମାଜ’ର କର୍ମଚାରୀମାନେ କରୋନା କଟକଣା ମାନି ପଦଯାତ୍ରାରେ ଯାଇଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଖାରବେଳନଗର ଥାନାଧିକାରୀ ଅରୁଣ କୁମାର ସ୍ବାଇଁ ସାମିଲ ହୋଇଥିଲେ।
‘ସମାଜ’ର ବ୍ୟୁରୋ ମୁଖ୍ୟ ପ୍ରସନ୍ନ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ବ୍ୟୁରୋ ଇନ୍‌ଚାର୍ଜ ଗୋପୀନାଥ ବାରିକ୍‌, ଭୁବନେଶ୍ବର ଶାଖା ଇନ୍‌ଚାର୍ଜ ଭରତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାମ୍ବାଦିକ ରବିପ୍ରିୟ ଦାଶ, ପ୍ରତାପଚନ୍ଦ୍ର ପ୍ରଧାନ, ପ୍ରଦୀପ୍ତ କିଶୋର ସ୍ବାଇଁ, ରବିନାରାୟଣ ଜେନା, ପ୍ରମୋଦ ସାମନ୍ତରାୟ, ଅଜିତ କୁମାର ଶତପଥୀ, ତାପସ କୁମାର ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁବ ସାମ୍ବାଦିକ ସନ୍ଦୀପ୍‌ ଚୌଧୁରୀ, ସନାତନ ବାରିକ, ରଶ୍ମିରଞ୍ଜନ ସ୍ବାଇଁ, ସୁଚିସ୍ମିତା ସାହୁ, କ୍ଷୀରୋଦ ଚନ୍ଦ୍ର ବେହେରା, ସୂର୍ଯ୍ୟକାନ୍ତ ଭୋଳ, ଲୁକେଶ ସାହୁ, ଫଟୋ ସାମ୍ବାଦିକ ମନୋଜ ସ୍ବାଇଁ, ପ୍ରକାଶ କୁମାର ସାହୁ, ବିଜ୍ଞାପନ ବିଭାଗର ହିମାଂଶୁ କର, ସୁନୀଲ ଦାସ, ସନ୍ଦୀପ ମହାପାତ୍ର, ଲଲାଟ ସାହୁ, କ୍ଷୀରୋଦ ଲେଙ୍କା, ପ୍ରଦୀପ କୁମାର ମିଶ୍ର, ଯଦୁମଣି ମହନ୍ତ, ଅଜୟ କୁମାର ପାଳ, ଅଖିଳ ନାୟକ, ଯୋଗେଶ୍ବର ବିଶ୍ବାଳ, ରବୀନ୍ଦ୍ର ମହାରଣାଙ୍କ ସମେତ ଅନ୍ୟ କର୍ମଚାରୀ ପଦଯାତ୍ରାରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ଅଧିବକ୍ତା ଦିଲୀପ ଦାଶଶର୍ମା, ମହେଶ୍ବର ବଳ, ୟୁନାଇଟେଡ଼ ବିପିୟୁଟି ଷ୍ଟୁଡେଣ୍ଟ ଆସୋସିଏସନ୍‌ କର୍ମକର୍ତ୍ତା ସ୍ବେଚ୍ଛାକୃତ ଭାବେ ସାମିଲ ହୋଇଥିଲେ। କରୋନା ସଚେତନତା ସମ୍ବଳିତ ପ୍ଲା-କାର୍ଡ ଧରି ସଂଘର ପ୍ରାକ୍ତନ ସଭାପତି ଛାତ୍ର ନେତା ସୁମନ ସାହୁ, ସଭାପତି ଛାତ୍ର ନେତା ରାଜେଶ ପାଣି, ଅନିଲ ମହାନ୍ତି, ସଚିନ ଦାସ, ରାକେଶ ନାୟକ, ଶୁଭେନ୍ଦୁ ବାରିକ, ଅବିନାଶ ପାତ୍ର, ତନ୍ମୟ ମହାନ୍ତି, ଦୁର୍ଗାମାଧବ ମିଶ୍ର ପ୍ରମୁଖ ପଦଯାତ୍ରାରେ ଯାଇଥିଲେ।

Leave A Reply

Your email address will not be published.