ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ର ଦୁର୍ଗମ ଅଞ୍ଚଳରେ ଥିବା ଖାରିସାହିର ୬ ଅନାଥ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍।
ଗତବର୍ଷ ଏପ୍ରିଲ୍ ମାସରେ ସେମାନଙ୍କ ବାପା ଉର୍ବଙ୍ଗ ଦଳବେହେରା ଓ ମାଆ ସୁଜନୀ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିବା ପରେ ସେମାନଙ୍କର ୬ ଝିଅ ଅନାଥ ହୋଇଯାଇଥିଲେ। ବଡ଼ ଦୁଇ ଝିଅ ସୁରଜନୀ ଓ ଉର୍ବନି ଏବେ ପରିବାର ପ୍ରତିପୋଷଣ କରିବା ପାଇଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଏହି ଖବର କନ୍ଧମାଳ ସାଂସଦ ତଥା କିସ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ତୁରନ୍ତ ଏହି ଅନାଥ ଭଉଣୀଙ୍କୁ ସହାୟତା ଯୋଗାଇ ଦେଇଛନ୍ତି।
ଶ୍ରୀ ସାମନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରିବା ପରେ ତୁରନ୍ତ ୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏହା ସହ ସେମାନେ ପାଠ ପଢ଼ିବା ଜାରି ରଖିବା ପାଇଁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ। ଏବେ ସେମାନଙ୍କ ଚଳିବା ଓ ପାଠ ପଢ଼ିବା ପାଇଁ କିସ୍ ଫାଉଣ୍ଡେସନ୍ ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଭବିଷ୍ୟତରେ ଯେଭଳି ସେମାନଙ୍କ ପାଠ ପଢ଼ିବାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି କିସ୍ ଫାଉଣ୍ଡେସନ୍ ଯତ୍ନବାନ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ।
ଦାରିଦ୍ର୍ୟ ଯୋଗୁଁ କୌଣସି ପିଲା ଯେଭଳି ପାଠ ପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କିସ୍ ଫାଉଣ୍ଡେସନ୍ ସର୍ବଦା ଯତ୍ନବାନ ରହି ଆସିଛି। ଏହି ସହାୟତା ପାଇଁ ୬ ଭଉଣୀ ସାଂସଦ ଶ୍ରୀ ସାମନ୍ତ ତଥା କିସ୍ ଫାଉଣ୍ଡେସନ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.