ଶଶୁର ଘରେ ଜ୍ୱାଇଁକୁ ଛୁରାମାଡ ,ଜ୍ୱାଇଁ ଗୁରୁତର

0

ରେଢ଼ାଖୋଲ : ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁ ଛୁରାମାଡରେ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡ଼ା ଗାଁରେ । ଗୁରୁତର ଜ୍ୱାଇଁ ପ୍ରେମାନନ୍ଦ ବେହେରାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ,ରେଢାଖୋଲ ଥାନା ଝାଙ୍କରପଡା ଗାଁର ପୁଷ୍ପାଞ୍ଜଳି ସାହୁ,ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଧୁଡିଆପଡା ଗାଁରେ ବିବାହ କରିଥିଲେ। ପାରିବାରିକ ସମସ୍ୟା ହେବାରୁ ସେ ୮ମାସ ହେବ ବାପ ଘରେ ଆସି ରହୁଥିଲେ। ଗତକାଲି ବିବାହିତ ଶାଳୀ ପୁଷ୍ପାଞ୍ଜଳିର ପାରିବାରିକ ସମସ୍ୟାର ସମାଧାନ ପାଇଁ ଭିଣୋଇ ପ୍ରେମାନନ୍ଦ ଶଶୁର ଘରକୁ ଯାଇଥିଲେ।
ପ୍ରେମାନନ୍ଦ ରାତିରେ ଘରେ ଶୋଇଥିବା ବେଳେ ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି କବାଟ ବାଡ଼େଇଥିଲେ। ଘର ଲୋକ କବାଟ ଖୋଲିଲା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଘରୁ ଟାଣି ନେଇ ଛୁରିରେ ଆକ୍ରମଣ କରିଥିଲେ। ପରେ ଛୁରି ଓ ବାଇକ୍ ଛାଡି ଫେରାର୍ ହୋଇଯାଇଥିଲେ । ପ୍ରେମାନନ୍ଦଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛୁରି ଓ ବାଇକ୍‌କୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.