ପୁରୀ/ଅନିମେଶ ପଟ୍ଟନାୟକ: କାଲିଠୁ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ ପୁରୀବାସୀ । ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତ୍ୟେକ ୱାର୍ଡରେ ଦିଆଯାଇଛି ଟୋକେନ । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନରେ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ଶେଷରେ ଖୋଲିବ ସାଆନ୍ତଙ୍କ ଦୁଆର । ଦର୍ଶନ ଦେବେ ସାଧାରଣ ଭକ୍ତଙ୍କୁ । ଆସନ୍ତାକାଲିଠାରୁ ଅର୍ଥାତ ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀସହର ବାସିନ୍ଦା ଦର୍ଶନ କରିପାରିବେ ମହାପ୍ରଭୁଙ୍କୁ । ସ୍ଥାନୀୟ ବାସିନ୍ଦା ପ୍ରମାଣ ପତ୍ର ସହ ୱାର୍ଡ ୱାରୀ ଦିଆଯାଇଥିବା ଟୋକେନ ବା ଚିରକୁଟକୁ ଦେଖାଇ ପ୍ରବେଶ କରିପାରିବେ ପୁରୀ ଲୋକ । ଯେଉଁ ୱାର୍ଡର ଯେଉଁଦିନ ସମୟ ଧାର୍ଯ୍ଯ ହୋଇଛି , ସେହି ୱାର୍ଡର ଲୋକମାନେ ହିଁ ଦର୍ଶନ କରି ପାରିବେ । ତେବେ ସମସ୍ତେ ଏସଓପିର ଅନୁପାଳନ କରିବା ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନକୁ ବ୍ୟବସ୍ଥିତ କରିବା ପାଇଁ କିଓସ୍କ ଓ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଇଛି। ସେଠାରେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ। ଅନ୍ୟପଟେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ଵ୍ୟଵସ୍ଥା ହେବ।