ନୂତନ ଉପଖଣ୍ଡସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଇଁ ବିଧାୟକଙ୍କ ଦ୍ୱାରା ଭୂମି ପୂଜନ

0

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ନୂତନ ଉପଖଣ୍ଡ ସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଟଣାଗଡ଼ ସ୍ଥିତ ରାମପାଲି ଠାରେ ଯୁବ ବିଧାୟକ ଶ୍ରୀ ସରୋଜ ମେହେରଙ୍କର କରକମଳରେ ଭୂମି ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି |ଏହି ଅନୁଷ୍ଠିତ ଭୂମି ପୂଜନ କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କର ପ୍ରିୟ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସି.ଡି.ଏମ୍‌.ଓ. ପିତବାସ ସା, ଏସ୍‌.ଡି.ପି.ଓ. ଜ୍ୟୋତିର୍ମୟ ଭୁକ୍ତା, ରାସ୍ତା ଓ ଗୃହନିର୍ମାଣ ବିଭାଗର ବରିଷ୍ଠ ଯନ୍ତ୍ରୀ, ପାଟଣାଗଡ଼ ଆଇଆଇସି, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖଙ୍କ ଉପସ୍ଥିତିରେ ଭୂମି ପୂଜନ କରାଯାଇଥିଲା!
ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ତାଙ୍କ ବକ୍ତବ୍ୟରେ କହିଛନ୍ତି , ଏହି ଡାକ୍ତରଖାନାଟି ତିନି ମହଲା ବିଶିଷ୍ଟ ହେବ | ଏଥିରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଜନସାଧାରଣ ପାଇପାରିବେ | ବିଶେଷ ଭାବେ ଗର୍ଭବତୀ ମହିଳା ଏବଂ ଶିଶୁ ମାନଙ୍କୁ ଅଧିକ ସୁବିଧା ଯୋଗଇ ଦିଆଯିବ | ତେବେ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ନୂତନ ଉପଖଣ୍ଡ ସ୍ତରୀୟ ମା’ ଓ ଶିଶୁ କେୟାର ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଯୋଗୁଁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି | ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ମା’ ଓ ଶିଶୁ କେୟାର ହସ୍ପିଟାଲ ନଥିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଥିଲେ ! ଡାକ୍ତରଖାନା ନିର୍ମାଣ ହେବା ଫଳରେ  ଲୋକେ ବହୁ ଉପକୃତ ହେବେ ବୋଲି  ଆଶାର ସଂଚାର ହୋଇଛି |

 

Leave A Reply

Your email address will not be published.