
ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱରରେ ମହିଳା ଥାନା ପ୍ରତିଷ୍ଠା ଦାବିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ ପରିବାର’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପ୍ରତୀକ ଧାରଣା ଓ ପ୍ରତିବାଦ ସଭାଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଏହି କାର୍ଯ୍ୟକୁ ସମର୍ଥନ କରି ବାଲେଶ୍ୱରର ଏକାଧିକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ । ପ୍ରୟାସ ପରିବାରର ସଭାପତି ରୋଜି ପଟ୍ଟନାୟକ ଏଥିରେ ସଭାପତିତ୍ୱ କରିବା ସହିତ ଜିଲ୍ଲାରେ ବୃଦ୍ଧି ପାଇଥିବା ପାରିବାରିକ ହିଂସା ଓ ମହିଳା ନିର୍ଯାତନା ମାମଲାରେ ଆଶୁ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳା ଥାନା ପ୍ରତିଷ୍ଠା ଏକାନ୍ତ ଆବଶ୍ୟକ କହିଥିଲେ । ‘ବାଲେଶ୍ୱର ସିଭିଲ ସୋସାଇଟି’ର ସମ୍ପାଦକ ଆଇନଜୀବୀ ମନୋଜ ନାୟକ, ‘ରୂପାୟନ’ର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟ, ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନର ସମ୍ପାଦିକା ମମତା ମହାପାତ୍ର, ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ବିଶେଷ କରି ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନା ରୋକିବା ଓ ପୀଡ଼ିତାଙ୍କୁ ଅବିଳମ୍ବେ ନ୍ୟାୟ ପ୍ରଦାନ ନିମନ୍ତେ ଜିଲ୍ଲାରେ ମହିଳା ଥାନା ପ୍ରତିଷ୍ଠା ପ୍ରତି ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏନେଇ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ବାଲେଶ୍ୱରବାସୀ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ ଦତ୍ତ, ଆଲୋକ ଦାସ, କାକଳି ନାୟକ, ବେଣୁଧର ବାରିକଙ୍କ ସମେତ ବିଭିନ୍ନ ସଗଠନର ସଦସ୍ୟମାନେ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଧାରଣାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।