ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୁବାସ ସାହାରେ ଆଉ ନାହାନ୍ତି 

0 2

ବରଗଡ / ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା “ଶାସକ ପ୍ରଶାସକ”ର ଝାରସୁଗୁଡା ଜିଲ୍ଲା ପ୍ରତିନିଧି ଶ୍ରୀ ସୁବାଷ ସାହାରେ ଆଉ ନାହାନ୍ତି | ତାଙ୍କର ଆଜି ସକାଳେ ଝାରସୁଗୁଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି  । ସେ କିଛିଦିନ ଧରି ଅସୁସ୍ଥ ହୋଇ  ଚିକିତ୍ସିତ ହେଉଥିଲେ । 

ଶ୍ରୀ ସାହାରେ  ଝାରସୁଗୁଡା ଅଂଚଳରେ ଜଣେ ସ୍ବେଚ୍ଛାସେବୀ ଭାବରେ ସେ ସର୍ବତ୍ର ପରିଚିତ । ମାନବ ସେବା ସଂଘ ଥିଲା ତାଙ୍କର ମାନସ ଅନୁଷ୍ଠାନ। କୌଣସି ପ୍ରଚାର ବିନା ସେ ଲୋକଙ୍କୁ ସହଯୋଗ କରୁଥିଲେ। କାହାର ଅସୁବିଧାରେ ସେ ପହଞ୍ଚୁ ଥିଲେ ପ୍ରଥମେ। ଏପରିକି ସୁଦୂର କଳାହାଣ୍ଡି ଦାନ ମାଝୀର ଘଟଣା ଶୁଣି ସହଯୋଗର  ହାତ ବଢେଇଥିଲେ। ସର୍ବ ପ୍ରଥମେ ଦାନ ମାଝୀର ଘରକୁ ତାଙ୍କର ସହଯୋଗ ପହଞ୍ଚିଥିଲା । ଖେଳରେ ପାଠରେ କୃତି ଅର୍ଜ୍ଜନ କରିଥିବା ପ୍ରତିଭାଙ୍କୁ ସମ୍ମାନ ଦେବା। ରାଜନେତା, ଖେଳାଲୀ, ସାମାଜିକ କର୍ମୀ, କୃତି ଛାତ୍ରଛାତ୍ରୀଙ୍କୁ ସେ ସ୍ଵତନ୍ତ୍ର ସଭା ଆୟୋଜନ କରି ସମ୍ମାନିତ କରୁଥିଲେ ।

ଗରିବ ଲୋକଙ୍କୁ ଛତା, କମ୍ବଲ, ଚପଲ, କପଡ଼ା ସେ ନିୟମିତ ବାଣ୍ଟୁଥିଲେ । କେବଳ ଝାରସୁଗୁଡା ନୁହେଁ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଛତିଶଗଡ଼ ଅଞ୍ଚଳକୁ ମଧ୍ୟ କ୍ରମଗତ ତାଙ୍କର ସହଯୋଗ ପହଞ୍ଚୁଥିଲା। ଯେଉଁଠୁ ଯେତେବେଳେ କାହାର ଦୁଃଖ ଖବର ପାଉଥଲେ ସେ ପହଂଚି ଯାଉଥଲେ ଓ ସହାୟତାର ହାତ ବଢ଼ାଇ ଦେଉଥିଲେ | 

ସରକାରୀ କାର୍ଯ୍ୟାଳୟରେ ବୃକ୍ଷରୋପଣ, ଡାକ୍ତରଖାନାରେ ଗରିବଙ୍କୁ ସହଯୋଗ, ସବୁ ଯେମିତି ତାଙ୍କର ନିୟମିତ କାମ ଥିଲା। “ଝାରସୁଗୁଡ଼ା ବିଚାର” ଏକ ପାକ୍ଷିକ ପତ୍ରିକା ଝାରସୁଗୁଡ଼ାରୁ ପ୍ରକାଶ କରୁଥିଲେ। ସମସ୍ୟାର ଗଭିର ବିଶ୍ଳେଷଣ ପତ୍ରିକାକୁ ସ୍ୱତନ୍ତ୍ର କରି ରଖିଥିଲା। ଅନେକ ପରିତ୍ୟକ୍ତ ତଥା ଅଜ୍ଞାତ  ଶବକୁ ନିଜ ଅନୁଷ୍ଠାନର ମୁକ୍ତିପଥ କାର୍ଯ୍ୟକ୍ରମରେ ସଂସ୍କାର କରୁଥିଲା ମାନବ ସେବା ସଂଘ, ଆଜି ସକାଳ ୬ଟା ସମୟରେ  ତାଙ୍କର ମୃତ୍ୟୁ ଘଟଣାକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି । ତାଙ୍କ ବିୟୋଗରେ ଝାରସୁଗୁଡା ଅଂଚଳ , ଶ୍ରୀ ସାହାରେ ଙ୍କର ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି , ସ୍ବେଚ୍ଛାସେବୀ ମହଲରେ ଗଭୀର ଶୋକର ଖେଲି ଯାଇଛି ।

 ଶ୍ରୀ ସାହାରେଙ୍କ ବିୟୋଗରେ ଶାସକ ପ୍ରଶାସକ ପରିବାର ସଂପୂଣ୍ଣ ମ୍ରିୟମାଣ ହୋଇପଡିଛି | ଶାସକ ପ୍ରଶାସକ ପକ୍ଷରୁ ଗଭୀର ଶୋକଵ୍ୟକ୍ତ କରାଯିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି |  

Leave A Reply

Your email address will not be published.