ଇଣ୍ଡ ବାରାତରେ ନିଆଁ

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ବନହରପାଲର ସାହାଜବାହାଲସ୍ଥିତ ଇଣ୍ଡ ବରାତ ପାୱାରପ୍ଲାଣ୍ଟ ଲିମିଟେଡ (ଆଇବିଏଲ) କମ୍ପାନୀରେ ଗତକାଲି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି। ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ଏହି କାରଖାନା ପରିସରରେ ନିଆଁ ଲାଗି ଏଠାରେ ଥିବା ଅନେକ ସମ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଛି। କମ୍ପାନୀ ପରିସରରେ ଥିବା ଅନାବନା ଶୁଖିଲା ଘାସ ଓ ଗଛପତ୍ର ଯୋଗୁଁ ନିଆଁର ବ୍ୟାପକତା ଭୀଷଣ ହୋଇଯାଇଥିଲା। ନିଆଁର ପ୍ରକୋପ ଏତେ ବେଶୀ ଥିଲା ଯେ ଶହ ଶହ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଧୂଆଁ ବ୍ୟାପିଯାଇଥିଲା। ନିକଟସ୍ଥ ସାହାଜବାହାଲ ଗ୍ରାମବାସୀ ଏ ବିଷୟରେ ଦମକଳ ବିଭାଗକୁ ଖବର ଦେବାରୁ ଇବ ଥର୍ମାଲ, ଲଖନପୁର ଓ ସମ୍ବଲପୁରର ରେଙ୍ଗାଲିର ଦମକଳ ବିଭାଗ କର୍ମଚାରୀ ଏଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ସାମୁଏଲ ବୁର୍ଜ ଜଣାଇଥିଲେ । ନିଆଁ ଯୋଗୁଁ ଏଠାରେ ଥିବା କନଭେୟର ବେଲ୍ଟଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଥିବା ସୂଚନା ମିଳିଛି। 

ଏପର୍ଯ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ତେବେ ପ୍ଲାଣ୍ଟ ପାଖରେ ଥିବା ଚାଷଜମିରେ ଥିବା ଶୁଖିଲା ନଡ଼ାରେ ନିଆଁ ଲାଗିଯିବାରୁ ଏହି ନିଆଁ କମ୍ପାନୀ ପରିସରରେ ବ୍ୟାପି ଯାଉଥିବା ଅନୁମାନ କରାଯାଉଛି।  >ସୂଚନାଯୋଗ୍ୟ ଯେ ୭୦୦ ମେଗାୱାଟ ଏହି ପ୍ଲାଣ୍ଟଟି ଦୀର୍ଘ ୪ ବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ ହୋଇଯାଇଥିଲା। କମ୍ପାନୀର ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଏଠାରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.