ଆସିକା ଚିନିକଳରେ ଯୋଗ୍ୟ ପ୍ରଶାସନିକ ଅଫିସରଙ୍କୁ ଏମଡି ଭାବରେ ନିଯୁକ୍ତ କରାଇ ବିଜୁ ବାବୁଙ୍କୁ ଉଚିତ୍ ଶ୍ରଦ୍ଧାଜଂଳି ଦିଅନ୍ତୁ ନବୀନ :ସମୀର ମହାନ୍ତି

0

ରାଜ୍ୟ ସଭାପତିଙ୍କ ଗଂଜାମ ଜିଲ୍ଲା ଗସ୍ତ : ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ହେଲେ ସାମିଲ

ଗଂଜାମ/ଭୁବନେଶ୍ୱର: ଆସିକା ସମବାୟ ଚିନି ଶିଳ୍ପ ଏସିଆ ମହାଦେଶର ପ୍ରଥମ ଚିନି ଶିଳ୍ପ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ୧୯୬୩ ମସିହାରେ ଆରମ୍ଭ ହୋଇଥିବା ଏହି ଚିନି କଳରେ ୨ ଲକ୍ଷ ମେଟ୍ରିକ ଟନରୁ ଉଦ୍ଧ୍ୱର୍ ଆଖୁ ପେଡାଯାଉଥିଲା । ପରିଚାଳନାଗତ ତ୍ରୁଟି ଯୋଗୁଁ ଏହି ଚିନିକଳରେ ୩୪ କୋଟି କ୍ଷତି ହୋଇଛି । ଚିନି କଳ ଉପରେ ନିର୍ଭର କରୁଥିବା ଶହ ଶହ ଆଖୁ ଚାଷୀଙ୍କୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ଚିନିକଳରେ ବ୍ୟାପକ ଭାବେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି । ଅତୀତରେ ଏହି ଆଖୁ ଶିଳ୍ପରୁ କୋଟି କୋଟି ଟଙ୍କା ଲାଭ ଆସୁଥିବାବେଳେ ଏବେ ଏହି ଶିଳ୍ପ ଋଣଭାରରେ ବୁଡି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପ୍ରଶାସନିକ ଅପାରଗତାର ପରିଚୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଭୂମିରେ ଥିବା ଆସିକା ଆଖୁକଳ କ୍ଷତିରେ ଚାଲିଥିବାବେଳେ ତାଙ୍କ କର୍ମଭୂମି ଚୌଦ୍ୱାରରେ ଥିବା ଓଟିଏମ ଶିଳ୍ପ ବନ୍ଦ ହୋଇ ପଡିଛି । ୨୧ ବର୍ଷ ପରେ ବି ନବୀନ ବାବୁ ବିଜୁ ବାବୁଙ୍କ ସ୍ୱପ୍ନକୁ ପୂରଣ କରିପାରିଲେ ନାହିଁ । ବିଜୁ ବାବୁଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ଆସିକା ଆଖୁ ଶିଳ୍ପକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦେଇ ଯୋଗ୍ୟ ପ୍ରଶାସନିକ ଅଫିସରଙ୍କୁ ଏମଡି ଭାବରେ ନିଯୁକ୍ତ କରାଇ ଆଖୁ ଚାଷୀଙ୍କୁ ବ୍ୟାପକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବି କରିଛନ୍ତି ।

ଆସ୍କା ଠାରେ ଅନୁଷ୍ଠିତ  ଏକ ମିଶ୍ରଣ ପର୍ବରେ ସିଙ୍ଗିପୁର ପଂଚାୟତ ପୂର୍ବତନ ସମିତି ସଭ୍ୟ ରଙ୍କନିଧୀ ପାଣିଗ୍ରାହୀ, ଭାପୁର ପଂଚାୟତ ପୂର୍ବତନ ସରପଂଚ ଶିଶିର ଗୌଡ, ପୂର୍ବତନ ୱାର୍ଡ ମେମ୍ବର ହରପ୍ରସାଦ ମହାନ୍ତି, ଘନ ମହାନ୍ତି, କିଶୋର ଗୌଡ, କଂଗ୍ରେସ ନେତା ପ୍ରସନ୍ନ କୁମାର ଦାସ, ଜୟରାମ ଗୌଡଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉତରୀୟ ଏବଂ ଦଳୀୟ ଟୋପି ପିନ୍ଧାଇ ସମସ୍ତଙ୍କୁ ଦଳରେ ସାମିଲ କରାଇଥିଲେ । ଏହି ମିଶ୍ରଣ ଦ୍ୱାରା ଦଳ ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନୀତା ପ୍ରିୟଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ବରିଷ୍ଠ  ନେତା ଦେବରାଜ ମହାନ୍ତି, ମହେଶ ମହାନ୍ତି, ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ,ଶିଶିର ମିଶ୍ରଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.