ତାମିଲନାଡୁ ରାଜ୍ୟର କୋଏମ୍ବଟୁର୍ ରୁ ଦୁଇଟି ଶିଶୁଙ୍କୁ ଉଦ୍ଧାର କଲା ଗଜପତି ଜିଲ୍ଲା ପ୍ରଶାସନ 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାପା ମାଆଙ୍କୁ ହରାଇ ସୁଦୁର କୋଏମ୍ବଟୁର୍ ରେ ଫସି ରହିଥିବା ଦୁଇଟି ନାବାଳକ , ବୟସ ୪  ବର୍ଷ ଏବଂ ୬ ବର୍ଷଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଶୁକ୍ରବାର ଦିନ ପାରଳାଖେମୁଣ୍ଡି ଠାରେ ପହଞ୍ଚିଛନ୍ତି। 

ସୁଦର୍ଶନ ନାୟକ , ଗ୍ରାମ-ଭାଲିଆ ସାହି , ମୋହନା ନିଜର ସ୍ତ୍ରୀ ଏବଂ ଏହି ଦୁଇଟି ଶିଶୁଙ୍କୁ ନେଇ କୋଏମ୍ବଟୁର୍ ରେ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ପ୍ରାୟ ଏକ ମାସ ତଳେ ସ୍ୱାମୀ ସ୍ତ୍ରୀ କଳହ ଯୋଗୁଁ ସ୍ୱାମୀ ସୁଦର୍ଶନ ନାୟକ ସ୍ତ୍ରୀଙ୍କୁ ମାରିଦେବା ସହ ସ୍ଥାନୀୟ ଏକ ଯୁବକ ସହ ଝଗଡ଼ା ହୋଇ ତାଙ୍କୁ ବି ଗୁରୁତର ଆହତ କରିଥିଲେ। ପରବର୍ତ୍ତୀ ସମୟରେ ସୁଦର୍ଶନ ତାମିଲନାଡୁ ପୋଲିସ୍ ପାଖରେ ଆତ୍ମ ସମର୍ପଣ କରିଥଲେ। 

କିନ୍ତୁ ଦୁଃଖର କଥା ଶିଶୁ ଦୁଇଟିର ଯତ୍ନ ଓ ସୁରକ୍ଷା ନେବା ଲାଗି ସେଠାରେ କେହି ନଥିଲେ। ଶିଶୁ ମାନଙ୍କର ଜେଜେ ବାପା ମୋହନାରେ ରହି ଏହି ସବୁ କଥା ଜାଣିଲା ପରେ ସେଠାକୁ ଯାଇ ଶିଶୁ ମାନଙ୍କୁ ଆଣିବା ଲାଗି ଚେଷ୍ଟା କରିଥିଲେ ବି ଭୟରେ ଯାଇପାରୁନଥିଲେ କାରଣ ସ୍ଥାନୀୟ ଲୋକ ଜେଜେବାପା କରନା ନାୟକଙ୍କୁ ପ୍ରାଣରେ ମାରିଦେବା ଲାଗି ଧମକ ଦେଉଥିଲେ।

ଏହି ସବୁ ବିଷୟକୁ ନେଇ କରନା ନାୟକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ଠାରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତି କୋଏମ୍ବଟୁର୍ ଚାଇଲ୍ଡଲାଇନ୍ ଏବଂ ଶିଶୁ ସୁରକ୍ଷା ୟୁନିଟ୍ ସହ କଥାବାର୍ତ୍ତା ହୋଇ ତା ପରଦିନ ଶିଶୁ ମାନଙ୍କୁ ଉଦ୍ଧାର କରିବା ସହ ତାମିଲନାଡୁ କୋଏମ୍ବଟୁର୍ ରେ ଥିବା ସରକାରୀ ଶିଶୁ ଗୃହରେ ଅସ୍ଥାୟୀ ଭାବେ ଥଇଥାନ କରିଥିଲେ। 

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏହି ବିଷୟ ଉପରେ ଜିଲ୍ଲାପାଳ , ଗଜପତି ଏବଂ ଆରକ୍ଷୀ ଅଧିକ୍ଷକ , ଗଜପତିଙ୍କ ଦୃଷ୍ଟି ଆକର୍ଷଣ କଲାପରେ ଆବଶ୍ୟକ ସହଯୋଗ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଯୋଗାଇଥିଲେ। 

  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପରିବେକ୍ଷଣ ଅଧିକାରୀ ଶ୍ରୀ ଜୟପ୍ରକାଶ ବାଡ଼ାତ୍ୟାଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ୍ କୋଏମ୍ବଟୁର୍ ଗସ୍ତ କରିଥିଲେ। ସେଥିମଧ୍ୟରେ ପୋଲିସ୍ ବିଭାଗ ତରଫରୁ ଶ୍ରୀ ସଦାଶିବ ରେଡି ଏବଂ ଅଶୋକ କୁମାର ସେଠାରେ କୋଏମ୍ବଟୁର୍ ଜିଲ୍ଲା ପ୍ରଶାସନର ସହାୟତାରେ ଶିଶୁ ମାନଙ୍କୁ ନେଇ ନିଜ ଜିଲ୍ଲା ଗଜପତିର ପାରଳାଖେମୁଣ୍ଡି ଠାରେ ଶୁକ୍ରବାର ଦିନ ସକାଳେ ପହଞ୍ଚିଥିଲେ। 

ପୋଲିସ ଦ୍ବାରା ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କଲାପରେ ଶିଶୁମାନଙ୍କୁ ଜେଜେବାପାଙ୍କୁ ହସ୍ତାନ୍ତର କରାଯାଇଛି। ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା ଯଥା ପାଠପଢିବା ପାଇଁ ଯାହା ଆବଶ୍ୟକ ଅଛି ତାହା ଜିଲ୍ଲା ପ୍ରଶାସନ କରିବା ପାଇଁ ପ୍ରସ୍ତୁତ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.