ଅରମା ବୁଦା ଉହାଡ଼ରୁ ଆତ୍ମପ୍ରକାଶ କଲା ଐତିହ ନାଉପାଳ ଲୁହା ପୋଲ

0 2

ଐତିହ୍ୟର ସୁରକ୍ଷା ନିମନ୍ତେ ଆଗେଇ ଆସିଲେ ଯୁବଗୋଷ୍ଠୀ 

ବାରିପଦା (ଦିଲ୍ଲୀପ ମହାନ୍ତି ) – ମୟୂରଭଞ୍ଜ ଗଡଜାତ ରାଜ୍ୟ ତଥା ବର୍ତ୍ତମାନର ସର୍ବବୃହତ ମୟୂରଭଞ୍ଜ ଜିଲ୍ଲାର ଇତିହାସ ଓ ଐତିହ୍ୟ ଯୁବ ପିଢିଙ୍କ ନିମନ୍ତେ ପ୍ରେରଣାର ଉତ୍ସ ହୋଇରହିଛି । ଏହି ଐତିହ୍ୟଗୁଡ଼ିକ ମଧ୍ୟରୁ ଅନେକ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇ ପଡିଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବିଭିନ୍ନ ଦିବସ ପାଳନ ନିମନ୍ତେ ବହୁ ଅର୍ଥ ଖର୍ଚ୍ଚ କରି ଆସୁଥିବା ବେଳେ ଜିଲ୍ଲାର ବହୁ କୀର୍ତ୍ତିରାଜି ଅଲୋଡା ହୋଇ ପଡିରହିବା ବେଶ୍ ଦୁଃଖ ଦାୟକ । ଏହିଭଳି ସମୟରେ ଜିଲ୍ଲାର ଐତିହ୍ୟ ଓ ଐତିହାସିକ ସ୍ଥଳଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଏଗୁଡିକର ପ୍ରଚାର ପ୍ରସାର ନିମନ୍ତେ ଆଗେଇ ଆସିଛନ୍ତି ମୟୂରଭଞ୍ଜର ଯୁବପିଢୀ । ମୟୂରଭଞ୍ଜର ଡୁକୁରା ଅଂଚଳରେ ରହିଥିବା ଐତିହାସିକ ନାଉପାଳ ଲୁହା ପୋଲଟି ଦୀର୍ଘ ଦିନ ଧରି ଲଟାବୁଦା ଭିତରେ ପଡି ରହିଥିବା ସହ ବିଭିନ୍ନ ଅନାବନା ଗଛ ବଢି ଏହି ଐତିହାସିକ ପୋଲଟିର ସୁରକ୍ଷା ନିମନ୍ତେ ଆହ୍ୱାନ ସୃଷ୍ଟି କରୁଥିଲା ।

ଆଜି ମୟୂରଭଞ୍ଜ ଲଭର୍ସ ଗ୍ରୁପର ସଦସ୍ୟ ମାନେ ଏହାକୁ ପରିଷ୍କାର କରିବା ସହ ,ଲଟାବୁଦା ଓ ଅଦରକାରୀ ଗଛ ଗୁଡିକୁ ସଫା କରିଥିଲେ । ଭବାନୀ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଜୟପ୍ରକାଶ ସିଂହ, ଭୀମସେନ ଦେ, କୁମାରେଶ୍ ନାୟକ, କିଶୋର କୁମାର ମହାନ୍ତି, ନିହାର ରଞ୍ଜନ ନନ୍ଦ, ସୁଶ୍ରୀ ନାୟକ, ରଶ୍ମିତା ପରିଡା, ଶ୍ରୁତି ସ୍ୱପ୍ନା, ସୁମନ ବାରିକ, ରାମଚନ୍ଦ୍ର ସାହୁ, କୈଳାଶ ଗିରି, ସଞ୍ଜୟ ମହାରଣା, ହିମାଂଶୁ ମହାନ୍ତ, ପ୍ରୟାସ ମହାପାତ୍ର ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଜିଲ୍ଲାର ଯୁବ ବର୍ଗଙ୍କୁ ଏହିଭଳି କାର୍ଯ୍ୟକରିବା ନିମନ୍ତେ ଉତ୍ସାହିତ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଂଚଳରେ ରହିଥିବା ଐତିହ୍ୟ ସ୍ଥଳ ଗୁଡିକୁ ପହଂଚିବା ସମ୍ଭବ ହେଉନଥିବାରୁ ସମ୍ପୃକ୍ତ ଅଂଚଳର ଜନସାଧାରଣ ଆଗକୁ ଆସି ଏହି କର୍ତ୍ତିରାଜିଗୁଡିକୁ ସୁରକ୍ଷା ପ୍ରଦାନ କରି ପରବର୍ତ୍ତି ପିଢି ନିମନ୍ତେ ଏହାକୁ ସାଇତି ରଖିବାକୁ ଆହ୍ୱାନ ଜଣାଇଛନ୍ତି । ଆଗକୁ ମଧ୍ୟ ଏ ପ୍ରକାର କାର୍ଯ୍ୟକ୍ରମ ଜାରି ରହିବ ବୋଲି ମୟୂରଭଞ୍ଜ ଲଭର୍ସର ସଦସ୍ୟ କୁମାରେଶ୍ ନାୟକ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.