ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ।
ଟିଟିଲାଗଡ଼ ( ଗୌରବ ଦର୍ଜୀ )-ଆଜି ଟିଟିଲାଗଡ ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ସଭାପତି ଆଲୋକ ନାୟକ ଙ୍କ ତତ୍ତ୍ଵାବଧାନରେ ରେ ଆୟୋଜିତ ଏହି ସମ୍ମିଳନୀ ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ ସଭାପତି ବିପିନ ବିହାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଆଜି ଭାରତରେ, ବେକାରୀ, ଗରିବୀ, କୁପୋଷଣ, ଅନାହାର ବୃଦ୍ଧିପାଇଛି । ସମଗ୍ର ପୃଥିବୀରେ ରହୁଥିବା ଲୋକ ସଂଖ୍ୟା ର୧୮%ଲୋକ ଭାରତ ରେ ରହିଥିବା ବେଳେ ମାତ୍ର ୨.୪%ସ୍ଥଳ ଭାଗଏବଂ ପାନୀୟ ଯୋଗ୍ୟ ଜଳ ମାତ୍ର ୪% ଅଛି । ଜନସଂଖ୍ୟା ବିସ୍ଫୋରଣ ରୁ ରକ୍ଷା ପାଇବାକୁ ହେଲେ ଜାତି ଧର୍ମ,ଭାଷା ଓ ଆଞ୍ଚଳିକତା ରୁ ଉର୍ଦ୍ଧ କୁ ଉଠି ସବୁ ନାଗରିକ ମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ଆଇନ ବାଧ୍ୟତା ମୂଳକ କରିବାକୁ ପଡିବ । ଏଥିପାଇଁ ବ୍ୟାପକ ଜନସଚେତନା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗ୍ରହ ରହିବା ଜରୁରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟଙ୍କୁ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସଂସଦ ଓ ବିଧାନସଭାରେ ପାରିତ କରିବା ପାଇଁ ଚାପ ସୃଷ୍ଟି କରିବାକୁ ହେଲେ ଦେଶର ୧୩୮ କୋଟି ଲୋକ ଜାତି, ଧର୍ମ, ବର୍ଣ୍ଣ ଓ ଦଳଗତ ନିର୍ବିଶେଷରେ ବ୍ୟାପକ ଜନ ଆନ୍ଦୋଳନ କରିବା କୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ। ପ୍ରତ୍ୟେକ ବର୍ଷ ଆମ ଦେଶରେ ୨ କୋଟି ୨୫ଲକ୍ଷ ଶିଶୁ ଜନ୍ମ ନେଉଥିବା ବେଳେ ବାର୍ଷିକ ଏକ କୋଟି ୭୦ ଲକ୍ଷ ଲୋକ ଆମ ଜନସଂଖ୍ୟା ସହ ଅଧିକ ଯୋଡ଼ି ହେଉଛନ୍ତି । ଜନ ବିସ୍ଫୋରଣ ହେଲେ ଆଗାମୀଦିନରେ ଭାରତରେ କୃଷିକ୍ଷେତ୍ର, ଶିଳ୍ପାୟନ, ଗୃହନିର୍ମାଣ, ମୁକ୍ତ ବାୟୁ,ଓ ପାନୀୟ ଜଳର ବ୍ୟାପକ ଅଭାବ ଦେଖାଦେବ। ବେକାରୀ ସମସ୍ୟା ଏତେ ବଢିଯିବ ଯେ ଯେକୌଣସି ସରକାର ପରିସ୍ଥିତିକୁ ଆୟତ୍ତ କରି ପାରିବ ନାହିଁ ବୋଲି ସମ୍ଭାବନା ଥିବା ଦର୍ଶାଇଛନ୍ତି । ଏଥିଯୋଗୁଁ ଦେଶରେ ଭୟଙ୍କର ଗୃହ ଯୁଦ୍ଧ ହେବା ସମ୍ଭାବନା ରହିଛି ବୋଲି କହିଥିଲେ । ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରା ନ ଗଲେ ଆସନ୍ତା ୨୦୪୦ ମସିହା ବେଳକୁ ଦେଶରେ ଜନସଂଖ୍ୟା ୨୪୦ କୋଟିକୁ ଟପିବ ।ସେତେବେଳେ ପରିସ୍ଥିତି ସମ୍ପୂର୍ଣ ଅଣାୟତ ହେଇପାରେ । ଆଜିଠୁ ଚାରି ହଜାର ବର୍ଷ ପୂର୍ବେ ମହାଭାରତ ଓ ଚଉଦ ହଜାର ବର୍ଷ ପୂର୍ବେ ରୁ ରାମାୟଣ ଯୁଦ୍ଧ ହୋଇଥିଲା ଅର୍ଥାତ ତା ପୂର୍ବରୁ ପୃଥିବୀରେ ସନାତନ ଧର୍ମ ବିଦ୍ୟମାନ ଥିବା ବେଳେ ବର୍ତ୍ତମାନ କିଛି ଭାରତୀୟ ସର୍ବପୁରାତନ ସନାତନ ଧର୍ମକୁ ସମ୍ପୂର୍ଣ ବିଲୋପ କରିବାକୁ ଏକ ନୀରବ ଏବଂ ସୁଚିତିନ୍ତିତ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଭାରତର ସଂସୃତି, ସଭ୍ୟତା ଓ ଅଖଣ୍ଡତା ଓ ଭବିଷ୍ୟତ ବଂଶଧର ମାନଙ୍କ ସୁରକ୍ଷା କରିବା ପାଇଁ ସମଗ୍ର ଦେଶବାସୀ ସ୍ଵତଃ ପ୍ରବୃତ୍ତ ଭାବେ ଆଗେଇ ଆସି ଜନସଂଖ୍ୟା ନିୟନ୍ତ୍ରଣ ଆନ୍ଦୋଳନରେ ସାମିଲ ହେବାକୁ ସଭାପତି ଶ୍ରୀ ଦାସ ଆହ୍ବାନ ଦେଇଥିଲେ । ଏଥିସହ ଅତୀତରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡ଼ିଶା ପ୍ରଦେଶ ତରଫରୁ ସଂସଦରେ ଦୁଇସନ୍ତାନ ବାଧ୍ୟତାମୂଳକ କରିବାକୁ ଆଇନ ଆଣିବା ପାଇଁ ଅନେକ ଥର ତିରିଶ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା କଥା ପ୍ରକାଶ କରିଥିଲେ। ଓଡ଼ିଶାରେ ସଂଗଠନକୁ ଶକ୍ତିଶାଳୀ, ମଜବୁତ ଓ କ୍ରିୟାଶୀଳ କରିବା ପାଇଁ ସାପ୍ତାହିକ ବୈଠକ ମାନ କରାଯାଉଛି । ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସଂଗଠନକୁ ଦୃଢ଼ କରାଯିବ ଏବଂ ଆଗାମୀ ଚବିଶ ତାରିଖ ଦିନ ରାଜ୍ୟର ତିରିଶ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ବଲାଙ୍ଗୀର ଜିଲ୍ଲା ସଭାପତି ଆଲୋକ ନାୟକ କହିଥିଲେ ଯେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି କୁରୁକ୍ଷେତ୍ରରେ ଧର୍ମ ଯୁଦ୍ଧ ସଦୃଶ । ଧର୍ମ ଯୁଦ୍ଧରେ କୌରବ ରୂପୀ ଜନସଂଖ୍ୟା ସମସ୍ୟା ଆମଦେଶରୁ ସମାପ୍ତ ହେବ , ଜନସଂଖ୍ୟା ନିୟନ୍ତ୍ରଣ ହେଲେ ଆମର ପିଲା ମାନେ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସୁବିଧା ପାଇପାରିବେ । ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ ସମେତ ବେରୋଜଗାର ସମସ୍ୟାରୁ ଦେଶ ଉଦ୍ଧାର ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଭାଜପା ର ଟିଟିଲାଗଡ ଟାଉନ ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସଙ୍ଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ବିପିନ ଠାକୁର, ଓକିଲ ସୁନ୍ଦରଲାଲ ଶର୍ମା, ସଞ୍ଜୟ ତ୍ରିପାଠୀ , ଜନେକ କୁମ୍ଭାର,ଅନାଦି ମାଝି, ରାମେଶ୍ବର ମାଝି,ଉଦୟ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।