ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଟାକ୍ସଫୋର୍ସ ଗଠିତ

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଝାରସୁଗୁଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଏକ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଟାକ୍ସଫୋର୍ସ ଗଠିତ ହୋଇଯାଇଛି। 

ଉକ୍ତ ବୈଠକରେ ସରକାରଙ୍କ ଶିଶୁ ମାନଙ୍କ ନିମନ୍ତେ ପ୍ରାୟୋଜିତ ବିଭିନ୍ନ ଯୋଜନା ଯଥା ବାଲ୍ୟବିବାହ ପ୍ରତିରୋଧ ଆଇନ, ବେଟି ପଢ଼ାଓ ବେଟି ବଚାଓ ଯୋଜନା, କିଶୋରୀ ବାଳିକା ମାନଙ୍କ ନିମନ୍ତେ ସଦ୍ୟ ଆରମ୍ଭ ହୋଇଥିବା “ଅଦ୍ବେକା” ତଥା ଜିଲ୍ଲାର ଅନାଥ ପିତୃମାତୃହୀନ ଶିଶୁମାନଙ୍କ ଥଇଥାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଆଗାମୀ ଫେବୃଆରୀ ୨୨ ତାରିଖ ସୁଦ୍ଧା ସମଗ୍ର ଜିଲ୍ଲାରୁ  ୬୩ଟି ଗ୍ରାମ, ୧୧ଟି ୱାର୍ଡ଼ ଓ ଗୋଟିଏ ପଞ୍ଚାୟତକୁ ଚିହ୍ନିତ କରି ବାଲ୍ୟବିବାହମୁକ୍ତ ଗ୍ରାମ, ୱାର୍ଡ଼ ଓ ପଞ୍ଚାୟତ ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ବାଲ୍ୟବିବାହ  ନିରୋଧ ଅଧିକାରୀ ତଥା ସିଡିପିଓମାନଙ୍କ ମାଧ୍ୟମରେ ବ୍ୟାପକ ସଚେତନତା ଆଣି ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିହତ କରିବା ପାଇଁ, ଦଶମ ଓ ଦ୍ବାଦଶ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ବାଳିକା ମାନଙ୍କୁ ୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଦେବା ପାଇଁ, ପିସି ପିଏନଡିଟି ଆଇନକୁ ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବା ପାଇଁ, ପ୍ରତ୍ୟେକ କନ୍ୟାସନ୍ତାନ ଜନ୍ମ ପରେ ଗଛଟିଏ ଲଗାଇବାକୁ ସଚେତନତା ସୃଷ୍ଟି କରିବା ପାଇଁ, ଅଦ୍ବେକା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଶନିବାର ଦିନ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ କିଶୋରୀମାନଙ୍କୁ ସ୍ବାବଲମ୍ବୀ କରିବାକୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଓ ଚିହ୍ନିତ ହୋଇଥିବା ଅନାଥ ଶିଶୁମାନଙ୍କ ପାଇଁ କମ୍ପାନୀ ଓ ଶିଳ୍ପାନୁଷ୍ଠାନମାନଙ୍କ ସହଯୋଗରେ ଥଇଥାନ ଓ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। 

ଆଜିର ଏହି ବୈଠକରେ ପିଡି ଡିଆରଡିଏ, ସିଡିଏମଓ, ଡିଏସଡବ୍ଲୁଓ, ଡିଇଓ, ପ୍ରତ୍ୟେକ ବ୍ଲକର ବିଡିଓ, ଆଇସିଡିଏସର  ସିଡିପିଓ ତଥା ଚାଇଲ୍ଡଲାଇନ,ସ୍ବେଛ୍ଛାସେବୀ ଅନୁଷ୍ଠାନ ତଥା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷା ଯୋଗଦାନ କରିଥିଲେ।

Leave A Reply

Your email address will not be published.