ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେ ଏକ ମାତ୍ର ଏକଲବ୍ୟ ଆଦିବାସୀ ଆଦର୍ଶ ଆବାସିକ ବିଦ୍ୟାଳୟ କୁଚିଣ୍ଡା ସହରରେ ବିଗତ ତିନିବର୍ଷ ତଳେ ସ୍ଥାପିତ ହେଇଥିଲେ ମଧ୍ୟ ପ୍ରଶାସନିକ ବିଫଳତା ଓ ଆଗ୍ରହ ର ଅଭାବ ଯୋଗୁଁ ଜଣେ ହେଲେ ସ୍ଥାୟୀ ଶିକ୍ଷକ ବା କର୍ମଚାରୀ ନିଯୁକ୍ତ ହୋଇ ପାରିନାହିଁ। ଫଳରେ ୧୨ ଏକର ପରିମିତ ଜମି ରେ ବିରାଟ କୋଠା ସ୍ଥାପିତ ହୋଇଥିଲେ ମଧ୍ୟ ବିଗତ ୨ ବର୍ଷ କାଳ ଶିକ୍ଷାଦାନ ବ୍ୟାହତ ହୋଇଛି। ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ଖୋଳିବା ପରେ ୧୮୦ ଜଣ ଛାତ୍ର ଛାତ୍ରୀ ହଷ୍ଟେଲ ରେ ରହି ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। କୁଚିଣ୍ଡା ଉପଖଣ୍ଡ ର ଶତାଧିକ ଲୋକ ଓ ଲୋକ ପ୍ରତିନିଧି ସ୍ଥାୟୀ ନିଯୁକ୍ତି ଦାବିକରି ଗଣଧାରଣା ଦେବାପରେ ବିଭିନ୍ନ ବିଭାଗ ରେ ଅତିଥି ଶିକ୍ଷକ ନିଯୁକ୍ତି କରାଯାଇଥିଲେ ମଧ୍ୟ ପୂର୍ବ ରୁ ଅବସ୍ଥାପିତ ଡେପୁଟେଡ ଶିକ୍ଷକ ମାନଙ୍କୁ ନିଜ ନିଜ ସ୍ଥାନକୁ ଫେରାଇ ନିଆ ଯାଇଥିବାରୁ ପୁଣି ଶିକ୍ଷା ଦାନ ବ୍ୟାହତ ହେବା ସମ୍ଭାବନା ରହିଛି। ଘଟଣା ରୁ ପ୍ରକାଶ ଯେ ଓଡ଼ିଶା ରେ ଏହି ସ୍କୁଲ ସମେତ ଛଅ ଗୋଟି ଏକଲବ୍ୟ ବିଦ୍ୟାଳୟ ଗୋଟିଏ ବର୍ଷ ରେ ସ୍ଥାପିତ ହୋଇଥିବା ବେଳେ ଅନ୍ୟ ସ୍କୁଲ ଗୁଡ଼ିକ ରେ ସଂପୃକ୍ତ ଜିଲ୍ଲାପାଳ ମାନେ ଚୟନ କରି ସ୍ଥାୟୀ ଶିକ୍ଷକ ନିଯୁକ୍ତି କରି ସାରିଛନ୍ତି। ଅନ୍ୟ ପକ୍ଷରେ ସମ୍ବଲପୁର ଜିଲ୍ଲା ରେ ଚୟନ ପ୍ରକ୍ରିୟା ସରିଥିଲେ ମଧ୍ୟ ଜଣେ ହିନ୍ଦି ଶିକ୍ଷକ ଆଶାୟୀ ମେରିଟ ତାଳିକା ରେ ତା ନାମ ସାମିଲ ହୋଇ ନ ଥିବାରୁ ହାଇକୋର୍ଟ ଆଶ୍ରୟ ନେଇଥିଲେ। ବିଚାର ବିଭାଗ ଏହାର ଉତ୍ତର ରଖିବା ପାଇଁ ଜିଲ୍ଲାପାଲ ଓ ଆଦିବାସୀ ମଙ୍ଗଳ ବିଭାଗ କୁ କୈଫିୟତ ମାଗିଥିବା ଆଳରେ ବିଭାଗିୟ କର୍ତ୍ତୃପକ୍ଷ ନିଯୁକ୍ତି ପ୍ରକ୍ରିୟା କୁ ସ୍ଥଗିତ ରଖାଯାଇଥିବା ପ୍ରଚାର କରି ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦେଇ ନାହାନ୍ତି। ସଂପ୍ରତି ହିନ୍ଦି ବିଭାଗ କୁ ଛାଡି ଅନ୍ୟ ବିଭାଗ ର ଶିକ୍ଷକ ଓ ଅଣ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେବାରେ କୌଣସି ଅସୁବିଧା ନାହିଁ ବୋଲି ବିଚାର ବିଭାଗ ସ୍ପଷ୍ଟ କରିଥିବାରୁ ଚୟନ ହେଇଥିବା ପ୍ରାର୍ଥୀ ମାନଙ୍କୁ କରୋନା ପରବର୍ତ୍ତୀ ଶିକ୍ଷାଦାନ ଆଦେଶ ପୂର୍ବରୁ ନିଯୁକ୍ତି ଦେବାପାଇଁ କୁଚିଣ୍ଡା ସ୍ଥିତ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ପୃକ୍ତ ବିଭାଗ ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ରରେ ଦାବି କରିଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post