ଦରବୃଦ୍ଧି ନେଇ ରାସ୍ତା ଉପରେ ଗର୍ଜ୍ଜିଲା ଯୁବ କଂଗ୍ରେସ

0

ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର କଲା ଦୃଢ ପ୍ରତିବାଦ

ଭୁବନେଶ୍ୱର(ଶାସକ ପ୍ରଶାସକ) – ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କାଙ୍କ ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଏବଂ ସ୍ୱାଗତ କରଙ୍କ ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଭବନ, ଭୁବନେଶ୍ୱର କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନ ଅଭିମୁଖେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ବର୍ତମାନ ସମଗ୍ର ମାନବ ଜାତି କରୋନା ମହାମାରୀ କବଳରୁ ମୁକ୍ତି ପାଇନଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପରିଲକ୍ଷିତ ହୋଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଅର୍ନ୍ତଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବ୍ୟାରେଲ୍ ପିଛା ୪୬ ଟଙ୍କା ଥିବା ବେଳେ କିପରି ଭାବେ ଏହା ବଜାରରେ ପାଖାପାଖି ୮୫ ଟଙ୍କାରେ ବିକ୍ରୀ ହେଉଛି । ଏଥିରୁ ଜଣାପଡୁଛି ଉଭୟ ସରକାର ଲୋକମାନଙ୍କୁ ଟିକସ ବାବଦରେ ଲୁଟୁଛନ୍ତି । ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି । ବିଗତ ୧ ମାସ ଭିତରେ ଗ୍ୟାସ ଦର ୧୦୦ ଟଙ୍କା ବୃଦ୍ଧି ପାଇ ୭୨୦ ରେ ପହଂଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖାଇଥିବା ଆଚ୍ଛେ ଦିନ ଲୋକଙ୍କ ପାଇଁ ପରିହାସ ପାଲଟିଛି । ବିଗତ କିଛି ମାସ ହେବ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା । ଏବେ ତା’ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି କରିବା ବୋଝ ଉପରେ ଲଳିତା ବିଡା ସଦୃଶ ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବିଭାଗରେ ସଂପୂଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ଏଥିରୁ ପ୍ରମାଣିତ ହୋଇଛି । ରାଜ୍ୟ ସରକାର ମଧ୍ୟ ନିଜ ଦଳୀୟ ପାଣ୍ଠି ବଢ଼ାଇବା ପାଇଁ ଟିକସ ହ୍ରାସ କରୁନାହାନ୍ତି । ତେଣୁ ଯୁବ କଂଗ୍ରେସ ଚେତେଇ ଦେବାକୁ ଚାହୁଁଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରନ୍ତୁ ନଚେତ୍ ଯୁବ କଂଗ୍ରେସ ଏହାର ଜବାବ ସାଧାରଣ ଜନତାଙ୍କ ହିତ ଉଦ୍ଦେଶ୍ୟରେ ରାଜରାସ୍ତାରେ ଦେବ ।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଯୁବ କଂଗ୍ରେସ ପ୍ରଭାରୀ ରିୟାଜୁଲ୍ ଅନସାରୀ, ଯୁବ କଂଗ୍ରେସ ନେତା ଅଜୟ ସାହୁ, ସଂକୁନା କହଁର, ରାଜୀବ ପଟ୍ଟନାୟକ, ଆଲୋକ ଲେଙ୍କା, ନଳିନୀକାନ୍ତ ନାୟକ, ଜ୍ଞାନରଂଜନ ରାଉତ, ଆଦିତ୍ୟ ପରିଡା, ବଟକୃଷ୍ଣ ରାଉତରାୟ, ଆଶୁତୋଷ ଲେଙ୍କା, କାର୍ତିକେଶ୍ୱର କାଣ୍ଡି, ସୁରଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.