“ମୟୂରଭଞ୍ଜରେ ପୁଣି ଫେରିବ କଂଗ୍ରେସ,୧୨ସୂତ୍ରୀ ଏଜେଣ୍ଡାରେ ଲୋକଙ୍କ ପାଖକୁ ଯିବ ଦଳ”

0

ପୌର ନିର୍ବିାଚନକୁ ଆଖି, ବିଜେଡି ବିଜେପିକୁ ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ

ବାରିପଦା(ଦିଲ୍ଲୀପ ମହାନ୍ତି) : ଦିନେ କଂଗ୍ରେସର ଗଡ଼ ଥିଲା, ମାତ୍ର ଆଜି ଅସ୍ଥିତ୍ବ ଅଣ୍ଡାଳୁଛି ସର୍ବପୁରାତନ ଦଳ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସର ହୃତଗୌରବ ଫେରାଇଆଣିବାକୁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ୍। ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ୧୨ ସୂତ୍ରୀ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଯିବ କଂଗ୍ରେସ। ଆଜି ବରିଷ୍ଠ କଂଗ୍ରେସ ନେତା ତଥା ମୟୂରଭଞ୍ଜ ଜିଲ୍ଲା ପାଇଁ ପିସିସି ପର୍ୟ୍ୟବେକ୍ଷକ ନିଯୁକ୍ତ ସୁଦର୍ଶନ ଦାସଙ୍କ ଗସ୍ତ ଅବସରରେ ଦଳ ପକ୍ଷରୁ ବ୍ୟାପକ ବିଚାରବିମର୍ଷ ହୋଇଛି।

 ଜିଲ୍ଲାରେ ଚାଷୀ ଓ ଚାଷକୁ ନେଇ ରହିଥିବା ସମସ୍ୟା, ବିଳମ୍ବିତ ହୋଇଚାଲିଥିବା ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ରାଜସ୍ବ ମନ୍ତ୍ରୀଙ୍କ ଜିଲ୍ଲାରେ ବ୍ୟାପକ ଲଘୁ ଖଣିଜ ଲୁଟ୍, କୋଭିଡ୍ ପରିଚାଳନ ଏବଂ କୋଭିଡ୍ କେୟାର୍ ହୋମ୍ ଆଦିରେ ଦୁର୍ନୀତି, ଶିଳ୍ପ ବିହୀନ ମୟୂରଭଞ୍ଜରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି, ଡିଏମ୍ଏଫ ପାଣ୍ଠିର ଉଚିତ୍ ଉପଯୋଗ, ପ୍ରଧାନମନ୍ତ୍ରୀ ଆବାସ, ବସୁନ୍ଧରା ଭଳି ଯୋଜନାରେ ପୁଳା ପୁଳା ଦୁର୍ନୀତି, ବିଶ୍ବ ପ୍ରସିଦ୍ଧ ଶିମିଳିପାଳର ବିକାଶ ସହିତ ପର୍ୟ୍ୟଟନ ଶିଳ୍ପର ବିକାଶ ନିମନ୍ତେ ବ୍ୟାପକ ଯୋଜନା, ଘେରିବନ୍ଧ ନିର୍ମାଣ, ଏସ୍ସି/ଏସ୍ଟି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ, ପୌରାଞ୍ଚଳ ବିକାଶ ନିମନ୍ତେ ଜିଲ୍ଲାକୁ ଆସିଥିବା ଅର୍ଥର କିପରି ଉପଯୋଗ ହୋଇଛି, ଏହିପରି ବିଭିନ୍ନ ପ୍ରସଙ୍ଗକୁ ନେଇ ପୁଣିଥରେ ଲୋକଙ୍କ ପାଖକୁ କଂଗ୍ରେସ ଯିବ ବୋଲି ବରିଷ୍ଠ ନେତା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ପିସିସି ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ ହେବା ପରେ ପ୍ରଥମ କରି ଜିଲ୍ଲା ଗସ୍ତ କରିଛନ୍ତି ଶ୍ରୀ ଦାସ। ଏହି ଅବସରରେ ଜିଲ୍ଲା କାର୍ୟ୍ୟାଳୟରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଆଗାମୀ ପୌର, ସମବାୟ ଏବଂ ପଞ୍ଚାୟତ ନିର୍ବାଚନରେ ଯେପରି ଦଳ ଏକ ଶକ୍ତିଶାଳୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବ ସେନେଇ ବ୍ୟାପକ ବିଚାରବିମର୍ଶ ହୋଇଥିଲା। ସେହିପରି ଦଳକୁ ଯେପରି ଅଧିକ ସଂଖ୍ୟାରେ ଯୁବ ଛାତ୍ର ଓ ମହିଳାମାନେ ଆସିପାରିବେ ସେନେଇ ମଧ୍ୟ ମନ୍ଥନ ହୋଇଥିଲା। ଗତ ନିର୍ବାଚନଗୁଡ଼ିକରେ ଦଳ କରିଥିବା ପ୍ରଦର୍ଶନକୁ ଭୁଲି ଆଗକୁ ଯେପରି ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ କଂଗ୍ରେସ ଏକ ପ୍ରମୁଖ ଗ୍ରହଣ କରିବ ସେନେଇ ଦଳର ସବୁବର୍ଗର ନେତାଙ୍କ ସହିତ ଆଲୋଚନା ହୋଇଥିଲା। ଏବେ କଂଗ୍ରେସ ସିଧାସଳଖ ଜିଲ୍ଲାର ସ୍ବାର୍ଥ ଜଡ଼ିତ ଥିବା ବିଭିନ୍ନ ବିଷୟକୁ ନେଇ ପ୍ରଶାସନ ଓ ସରକାରଙ୍କୁ ଘେରିବ। ଲୋକଙ୍କ ନିକଟତର ହେବ, ଆସ୍ଥା ଜିଣିବ ଓ ଏକ ନୂତନ ସକରାତ୍ମକ ରାଜନୈତିକ ବାର୍ତ୍ତା ଦେବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନାବେଳେ ପ୍ରକାଶ କରିଛନ୍ତି ଶ୍ରୀ ଦାସ। ସେହିପରି ଖୁବ୍ଶୀଘ୍ର ଜିଲ୍ଲାରେ ସାଂଗଠନିକ ସଂରଚନା ସମାପ୍ତ ହେବ। ନଗର, ବ୍ଲକ୍ ଓ ଜିଲ୍ଲା କମିଟି ଗଠନ ପାଇଁ ଆଲୋଚନା ହୋଇଥିଲା। ଖୁବ୍ଶୀଘ୍ର ଏନେଇ ପ୍ରକ୍ରିୟା ସମାପ୍ତ ହେବ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ବରିଷ୍ଠ ନେତ୍ରୀ ସୁଶୀଳା ତିରିଆ, ସରସ୍ବତୀ ହେମ୍ବ୍ରମ୍, ଅଶୋକ ଅଧିକାରୀ, ଲକ୍ଷ୍ମଣ ମାଝୀ, ବିଜନ ଦାସ, ଯୋଗେଶ ଅଗ୍ରୱାଲା, ନିରଜଲୋଚନ ଦାସ, ଅଜିତ ଜେନା, ଭୁବନ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଦଳୀୟ ନେତା ଅରବିନ୍ଦ ଦାସ, ସୁସ୍ମିତା ଘୋଷାଲ, ଶାନ୍ତନୁ ପାଲ, ଦଶରଥ ସିଂ,  ତାରାକାନ୍ତ ବେହେରା, ଏସ୍ କେ ମୁସ୍ତାଫା, ଯଞ୍ଜ ମହାନ୍ତିଙ୍କ ସମେତ ଗତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରାର୍ଥୀ ଏହି ଅବସରରେ ଉପସ୍ଥିତ ଥିଲେ। 

 

Leave A Reply

Your email address will not be published.