ରୋଗାକ୍ରାନ୍ତ ବିନୋଦ ଙ୍କୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ 

0

ଭଞ୍ଜନଗର ( ନିଲୁ ବିଷୋୟୀ ) – ରୋଗ ଶଯ୍ୟା ରେ ପଡି ଆଜକୁ ୨ ବର୍ଷ ହେବ ଛଟପଟ ହେଉଥିବା ଭଞ୍ଜନଗର ବ୍ଳକ ଲାଲସିଂ ଗ୍ରାମର ବିନୋଦ କୁମାର ସାହୁ ଙ୍କ ପରିବାର କୁ ସମାଜସେବୀ ସନତ କୁମାର ସାହୁ, ଶୂଳପାଣି ଶତପଥୀ ଓ ପଞ୍ଚାନନ ପାଳ ସହାୟତାର ହାତ ବଢ଼ାଇଛନ୍ତି । ସେମାନେ ବିନୋଦଙ୍କ ଘରକୁ ଯାଇ ଏକ ମାସର ରାସନ ସାମଗ୍ରୀ ସହ ୨ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥି ସହିତ ଆଗାମୀ ଦିନରେ ଅଧିକ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ,  “ଶାସକ ପ୍ରଶାସକ”ରେ ଆମେ ବିନୋଦଙ୍କ ଯନ୍ତ୍ରଣାସିକ୍ତ ଜୀବନ ଉପରେ ଖବର ପ୍ରକାଶ କରିବା ସହ ତାଙ୍କ ପ୍ରତି ସୁଵିଚାର କରିବା ପାଇଁ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ | 

ଘଟଣାରୁ ପ୍ରକାଶ ଯେ ବିନୋଦ ୨ ବର୍ଷ ପୂର୍ବେ ସୁଦୂର ତାମିଲନାଡୁ କୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ। ଫଳରେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ନିଜ ଗ୍ରାମକୁ ଫେରି ଆସିଥିଲେ। ଗ୍ରାମକୁ ଆସି ସେ ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ରେ କୌଣସି ପ୍ରକାର ଉନ୍ନତି ଘଟି ନାହିଁ। ରୋଗ ବଢିବା ସହ ଧୀରେ ଧୀରେ ବିନୋଦ ଶଯ୍ୟାସାଇ ପାଲଟି ଗଲେ। ଫଳରେ ବିନୋଦ ଘରର ମୁରବି ହୋଇଥିବା ବେଳେ ସେ ରୋଜଗାର ହରାଇ ଘରେ ପଡି ରହିବା ଦ୍ୱାରା ପରିବାର ଚଳିବା ମଧ୍ୟ କଷ୍ଟକର ହୋଇପଡିଲା। ଏଭଳି ସ୍ଥିତିରେ ଦୁର୍ଦ୍ଦିନରେ ଦିନ କଟୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲ ପକ୍ଷରୁ କିଛି ଔଷଧ ଦିଆଯାଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଏଭଳି ପରିସ୍ଥିତି ଜାଣିବା ପରେ ସାମାଜିକ କର୍ମୀ ସନତ କୁମାର ସାହୁ , ଶୂଳପାଣି ଶତପଥୀ ଓ ପଞ୍ଚାନନ ପାଳ ତାଙ୍କ ଘରେ ପହଂଚି ସହାୟତାର ହାତ ବଢ଼ାଇଛନ୍ତି।

Leave A Reply

Your email address will not be published.