ରାମସାଗର ବନ୍ଧ ରେ ପୁଣି ଆରମ୍ଭ ହେଲା ନୌକାବିହାର l

0

ସମ୍ବଲପୁର,( ରମାକାନ୍ତ ବିଶ୍ବାଳ)-  ସହରର କେନ୍ଦ୍ରସ୍ଥଳୀ ରେ ଥିବା ରାମସାଗର ବନ୍ଧ ରେ ସୋମବାର ବୋଟିଂ ସେବା କୁ  ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ଉଦଘାଟନ କରିଛନ୍ତି। ପୁର୍ବାୂହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବୋଟିଂ ସୁବିଧା ଉପଲବ୍ଧ ହେଉ ଥିବାବେଳେ ଜଣପିଛା ରାମସାଗର ପାର୍କରେ ପ୍ରବେଶ ସକାଶେ ୫ ଟଙ୍କା ଏବଂ ବୋଟିଂ ସକାଶେ ୩୫ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ବୋଟିଂ ସମୟରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଲାଇଫ ଜ୍ୟାକେଟ ବାଧ୍ୟତା ମୁଳକ କରାଯାଇଥିବା ଜଣାପଡଛି। ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ କଟକଣା ଯୋଗଁ ରାମ ସାଗର ବନ୍ଧ ପାର୍କ ମାର୍ଚ୍ଚ ମାସରୁ ବନ୍ଦ ଥିବାବେଳେ ଗତ ମାସ ପୁଣିସର୍ବସାଧାରଣ ସକାଶେ ଖୋଲିଥିଲା। ପୂର୍ବରୁ ରାମସାଗର ବନ୍ଧର ସୌନ୍ଦର୍ଯ୍ୟକରଣ ସହ ଏହାକୁ ଏକ ଆମୋଦପ୍ରମୋଦ ସ୍ଥଳ କରିବା ସକାଶେ ପଦକ୍ଷେପ ନିଆଯାଇଛି। ଏଠାରେ ବୋଟିଂ ସୁବିଧା ପାଇଁ ମହାନଗର ନିଗମ ପକ୍ଷରୁ ୨ ଲକ୍ଷ ୬୧ ହଜାର ଟଙ୍କାରେ ୪ଟି ପେଡ଼େଲ ଚାଳିତ ବୋଟ କିଣାଯାଇଛି। ପ୍ରତି ବୋଟରେ ୪ଟି ଲେଖାଏ ଆସନ ରହିଛି। ଗତ ଜାନୁୟାରୀ ମାସରେ ବନ୍ଧରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଭାସମାନ ଜେଟି ନିର୍ମାଣ କରାଯାଇଥିଲା। ଫେବୃୟାରୀ ମାସରେ ରାମସାଗର ପାର୍କର ନବୀକରଣ କରାଯାଇଥିଲା ।  ଏହାର ଚାରି ପାର୍ଶ୍ବରେ ଭ୍ରମଣ ପାଇଁ ପାଦଚଲା ରାସ୍ତା, ଶିଶୁ ଉଦ୍ୟାନ, ବେଞ୍ଚ, ରଙ୍ଗୀନ ଆଲୋକ ବ୍ୟବସ୍ଥା ସହ ବିଭିନ୍ନ କିସମର ଗଛ ଓ ଜଳ ଫୁଆରା ଲଗାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି l ଏହି ଅବସରରେ ଏନଫୋର୍ସାମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.