ରାଜ୍ୟର ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ତୈଳ ଓ ଗ୍ୟାସର ସନ୍ଧାନ – ଧର୍ମେନ୍ଦ୍ର ପ୍ରଧାନ

0

ଓଡିଶାର ୫ଟି ବ୍ଲକ ପାଇଁ ଅଏଲ ଇଣ୍ଡିଆର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ

• ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ସେସମିକ୍ ସର୍ଭେ

• ୧୨୪୮ କୋଟି ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ

• ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆରମ୍ଭ

• ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବା ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)– ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି)ଅଧୀନରେ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ରାଜ୍ୟର ୫ଟି ବ୍ଲକ ଅର୍ଥାତ୍ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି  ।

ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ୍ ମହାନଦୀ ଅବବାହିକାରେ ୫ଟି ବ୍ଲକ ଅର୍ଥାତ୍ ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ  । ଅଏଲ ଇଣ୍ଡିଆ ଲିମିଟେଡ୍ ଓଏଏଲପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ ଅନ୍ୱେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ବ୍ଲକ ପାଇଁ ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆଜି ଠାରୁ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।

ଅଏଲ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଶୁଭାରମ୍ଭ ହୋଇଥିବା ଅଭିଯାନରେ ଅନ୍ୱେଷଣ ସଫଳ ହେଲେ ମହାନଦୀ ଅବବାହିକା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଏକ ଗେମ-ଚେଞ୍ଜର ଭାବେ ଉଭା ହେବ ଓ ଓଡ଼ିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ  । ଏହାସହ ଓଡ଼ିଶା ଉର୍ଜା, ଏଲଏନଜି, ତୈଳ ତଥା ଗ୍ୟାସ କ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ହେବ । 

ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଭାରତର ବିକାଶ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  । ଓଡ଼ିଶାକୁ ପୂର୍ବଦୋୟର ପେଣ୍ଠସ୍ଥଳି କରିବା ଦିଗରେ ଆମେ ଅଗ୍ରସର  । ଏହି ଅଭିଯାନ ମହାନଦୀ ଅବବାହିକା ଓ ପାଶ୍ୱବର୍ତ୍ତୀ  ଅଂଚଳରେ ଅନ୍ୱେଷଣ, ଉତ୍ପାଦନ କାର୍ଯ୍ୟ ଏବଂ ହାଇଡ୍ରୋକାର୍ବନ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବ  ।

ଏହି ଭବ୍ୟ ସମାରୋହ ଆୟୋଜନ ପାଇଁ ଶ୍ରୀ ପ୍ରଧାନ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡକୁ ଶୁଭେଚ୍ଛା ଜଣାଇଛନ୍ତି  । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଭାରତର ତୈଳ ମାନଚିତ୍ରରେ ଏକ ପ୍ରତିଷ୍ଠିତ  ତଥା ଗୁରୁତ୍ୱପୂର୍ଣ୍ଣ ହାଇଡ୍ରୋକାର୍ବନ୍ ସଂରକ୍ଷଣ ସ୍ଥାନ ଭାବରେ ଉଭା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । 

Leave A Reply

Your email address will not be published.