ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆଗାମୀ ବର୍ଷର ପଦୋନ୍ନତି ପ୍ରକ୍ରିୟା ଶେଷ କର : ମୁଖ୍ୟ ଶାସନ ସଚିବ

0

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ କର୍ମଚାରୀ ମହଲରେ ଖୁସି ସଂଚାର 

  ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ଅହେତୁକ ବିଲମ୍ବକୁ ଦୃଷ୍ଟିରେ ରଖି, ଆଗାମୀ ବର୍ଷ ୨୦୨୧ର  ବିଭିନ୍ନ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟଭାଗ ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ଠିକ ସମୟରେ ତାଙ୍କର ପ୍ରାପ୍ୟ ପଦୋନ୍ନତି ପାଇବାର ଆଶା ସଞ୍ଚାର ହେବା ସାଙ୍ଗକୁ ସେମାନେ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

   ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାରମ୍ବାର ହେଉଥିବା ବିଲମ୍ବ ସରକାରଙ୍କ ଦୃଷ୍ଟିକୁ ଆସିବା ପରେ,“ ମୋ ସରକାର” କର୍ମଚାରୀଙ୍କ ପଦୋନ୍ନତି ପାଇଁ ତତ୍ପରତାର ସହିତ ପଦକ୍ଷେପ ନେବା ପାଇଁ ଗତ ବର୍ଷ ବିଭିନ୍ନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ୨୦୧୯ ବର୍ଷର ପଦୋନ୍ନତି ପାଇଁ ବିଭିନ୍ନ ସ୍ତରରେ ତତ୍ପରତା ଦେଖାଯାଇଥିଲା । ପଦୋନ୍ନତି ଅଦାଲତ ମଧ୍ୟ ଗଠନ କରାଗଲା । କେତେକାଂଶରେ କର୍ମଚାରୀମାନେ ଆଶ୍ଵସ୍ତ ହେଲେ । କିନ୍ତୁ ଚଳିତ ବର୍ଷ ପଦୋନ୍ନତି କ୍ଷେତ୍ରରେ ପୂର୍ବପରି ବିଳମ୍ବ ଦେଖାଗଲା । ରାଜ୍ୟ ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ସେବା , ସଚିବାଳୟ ସେବା ପରି ଅନେକ ସେବାରେ ଚଳିତ ବର୍ଷ ଠିକ ସମୟରେ କର୍ମଚାରୀ ପଦୋନ୍ନତି ପାଇପାରିଲେ ନ।ହିଁ । ସଚିବାଳୟ ସେବାରେ ଏବର୍ଷ ଜାନୁୟାରୀ ମାସ ବଦଳରେ ଜୁନ ମାସ, ଜୁଲାଇ ମାସ , ସେପ୍ଟେମ୍ବର ମାସରେ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ କରଯାଇଥିଲା । ଏପରି ବିଳମ୍ବ ପାଇଁ କେତେକ କର୍ମଚାରୀ ବିନା ପଦୋନ୍ନତିରେ ଚାକିରିରୁ ଅବସର ନେଇଥିବାର ଆଲୋଚନା ହୁଏ। 

   କର୍ମଚାରୀଙ୍କ କହିବା ଅନୁଯାଇ, ଅଧିକାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଆଳ ନେଉଥିବାରୁ ପଦୋନ୍ନତି ଠିକ ସମୟରେ ନହୋଇ ଏଥିରେ ବିଳମ୍ବ ହୋଇଥାଏ । କେବେ ବରିଷ୍ଟତା ତାଲିକା ସଂଶୋଧନର କଥା କୁହାଯାଉଥିବା ବେଳେ , କେବେ ପୂର୍ବ ବର୍ଷର ତାଲିକାରେ ଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀ ପଦୋନ୍ନତି ପାଇନଥିବା  କଥା କୁହାଯାଏ । ଆଉ କେବେ ବିଭିନ୍ନ ମହଲରୁ ଆବଶ୍ୟକ କାଗଜାତ ସଂଗ୍ରହ କରାଯାଇ ପାରିନଥିବା କୁହାଯାଏ । ଏସବୁ ପାଇଁ ପଦୋନ୍ନତି ସଂକ୍ରାନ୍ତରେ ଥିବା ନିୟମାବଳୀ ତା’ର ମୂଳ ଲକ୍ଷ୍ୟଠାରୁ ଦୂରେଇଯାଇଥାଏ ବୋଲି ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିବେକାନନ୍ଦ ସାମଲ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଲେଖିଥିବା ଏକ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ସାଙ୍ଗକୁ ସେ ନିୟମର ସଠିକ ବ୍ୟାଖ୍ୟା କରିବା ଓ ସମୟ ପୂର୍ବରୁ କମିଟିର ବୈଠକ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ବର୍ଷର ଅବଧି , ଖାଲିପଡୁଥିବା ପଦବୀର ଆକଳନ,  ପୂର୍ବ ବର୍ଷ ପ୍ରସ୍ତୁତ ତାଲିକାର ବୈଧତା ଏବଂ ପଦୋନ୍ନତି କମିଟି ବସିବାର ସମୟ ପ୍ରଭୁତି ସବୁକିଛି ସ୍ପଷ୍ଟ ଭାବେ ନିୟମରେ ଉଲ୍ଲେଖ ଥିଲେହେଁ,  ଠିକ ସମୟରେ ପଦୋନ୍ନତି ନଦେବା ଏକ କୁପରମ୍ପରା ବୋଲି ସଚିବାଳୟର କେତେକ ଅଧିକାରୀ ମତରଖିଛନ୍ତି । 

  ସଚିବାଳୟ ସେବା ସଂଘର ଅକ୍ଟୋବର ମାସର ଏହି ସ୍ମାରକ ପତ୍ରକୁ ବିଚାରକୁ ନେଇ ଆଗାମୀ ବର୍ଷ ୨୦୨୧ର  ବିଭିନ୍ନ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ମାସ ମଧ୍ୟଭାଗ ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ହୋଇପାରିଲେ ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ନୂଆ ଯୁଗର ଆରମ୍ଭ ହେବ ଓ କର୍ମଚାରୀ ତାଙ୍କର ପ୍ରାପ୍ୟ ପଦୋନ୍ନତି ଠିକ ସମୟରେ ପାଇପାରିବେ ଓ କୌଣସି ଯୋଗ୍ୟ ପ୍ରାର୍ଥୀ ବିନା ପଦୋନ୍ନତିରେ ନିରାସ ହୋଇ ଚାକିରିରୁ ଅବସର ନେବେ ନ।ହିଁ। ବିଭିନ୍ନ ମହଲର କର୍ମଚାରୀ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

 

Leave A Reply

Your email address will not be published.