ବାଲେଶ୍ୱର(ଶାସକ ପ୍ରଶାସକ) : ନିକଟ ଅତୀତରେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଗ୍ରହଣ ସହ ବାଲେଶ୍ୱର ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ଭାବେ ମନୋନୀତ ହୋଇଥିବା ସମାଜସେବୀ ମମତା କୁଣ୍ଡୁଙ୍କୁ ଆଜି ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପିସିସି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସଦର ନିର୍ବାଚନମଣ୍ଡଳୀର ଛାମୁଆ କର୍ମୀମାନେ ଯୋଗଦେଇ ଶ୍ରୀମତୀ କୁଣ୍ଡୁଙ୍କୁ ସ୍ୱାଗତ କରିଛନ୍ତି । ଶ୍ରୀମତୀ କୁଣ୍ଡୁଙ୍କ ଭଳି ଜଣେ ଉଚ୍ଚଶିକ୍ଷିତା ତଥା ଜଣେ ମହିଳା ସମାଜସେବୀଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବାରୁ ବାଲେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଭଳି ଜଣେ ସୁଯୋଗ୍ୟ ପ୍ରାର୍ଥୀଙ୍କୁ ଅଧିକରୁ ଅଧିକ ସମର୍ଥନ ଦେବାପାଇଁ ସେ ବାଲେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି । ପିସିସି ମୁଖପାତ୍ର ସୁଦର୍ଶନ ଦାସ ଏହି ସମ୍ମିଳନୀରେ ଯୋଗଦେଇ ବାଲେଶ୍ୱର ବିକାଶ ପ୍ରତି ସର୍ବଦା ଗୁରୁତ୍ୱ ଦେଇ ଆସିଥିବା କଂଗ୍ରେସ ଦଳର ଏଭଳି ଜଣେ ପ୍ରାର୍ଥିନୀଙ୍କୁ ବିଧାନସଭା ପଠାଇବାର ସୁଯୋଗ ବାଲେଶ୍ୱରବାସୀ ହାତଛଡ଼ା ନ କରିବାକୁ ଆହ୍ୱାନ ଦେଇଛନ୍ତି । ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ନଗର କଂଗ୍ରେସ କମିଟି ସଭାପତି ପଦ୍ମଲୋଚନ ଲେଙ୍କା, ନୀଳଗିରି ନିର୍ବାଚନମଣ୍ଡଳୀର ନେତ୍ରୀ ତଥା ନୀଳଗିରିର ରାଣୀ ମନୋଜା ମଞ୍ଜରୀ ଦେବୀ,ବସ୍ତା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ ପ୍ରମୁଖ ଯୋଗଦେଇ ଶ୍ରୀମତୀ କୁଣ୍ଡୁଙ୍କ ପ୍ରାର୍ଥିତ୍ୱକୁ ଗ୍ରହଣ ପୂର୍ବକ ବାଲେଶ୍ୱରବାସୀ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ଶ୍ରୀମତୀ କୁଣ୍ଡୁଙ୍କୁ ଦଳୀୟ କର୍ମକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀମତୀ କୁଣ୍ଡୁ ଉପସ୍ଥିତ ଦଳୀୟ କର୍ମକର୍ତ୍ତା, ନେତା ଓ କର୍ମୀଙ୍କ କୃତଜ୍ଞତା ଜଣାଇଥିଲେ । ବାଲେଶ୍ୱର ମାଟିର କନ୍ୟା ଭାବେ ଜନସାଧାରଣଙ୍କ ସମସ୍ୟା ସମାଧାନ ସାଙ୍ଗକୁ ଆଞ୍ଚଳିକ ବିକାଶକୁ ସେ ଅଧିକ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ କୁଣ୍ଡୁ କହିଥିଲେ । ଶେଷରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ । ସଭାକାର୍ଯ୍ୟ ପରେ ଶ୍ରୀମତୀ କୁଣ୍ଡୁ କଂଗ୍ରେସ କାର୍ଯ୍ୟାଳୟ ପାଶ୍ୱ ସଫେଇ କର୍ମଚାରୀ ବସ୍ତିକୁ ଯାଇ ପ୍ରଥମେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post