ବାରିପଦା(ଦିଲ୍ଲୀପ ମହାନ୍ତି )- ଗୋଟାଏ ପଟରେ କେନ୍ଦ୍ରରେ ପ୍ରଧାମନ୍ତ୍ରୀ ମୋଦିଙ୍କ ସରକାରଙ୍କର ୪ ବର୍ଷ ପୂର୍ତ୍ତ ପାଳିତ ହେଉଥିବା ବେଳେ ଅନ୍ୟ ପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଫଳତାକୁ ନେଇ କଂଗ୍ରେସ ପକ୍ଷରୁ ବିଶ୍ୱ ବିଶ୍ୱାସଘାତ ଦିବସ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାର ସହିତ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ଜୁମୁଲା ସାବ୍ୟସ୍ତ ହୋଇଛି । ଦେଶରେ ମୁଦ୍ରାସ୍ଫିତି କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ସମସ୍ତ ପଦାର୍ଥର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ କମ ରହିଥିବା ସମୟରେ ପେଟ୍ରୋଲ ଓ ଡ଼ିଜେଲ ଆଦି ମୂଲ୍ୟରେ ବୃଦ୍ଧି ଘଟି ସର୍ବକାଳୀନ ରେକଡର଼୍ରେ ପହଁଞ୍ଚି ସାରିଛି । ଦେଶରେ ଦରଦାମକୁ ନିୟନ୍ତ୍ରଣ କରାଇବା ନିମନ୍ତେ କେନ୍ଦ୍ରରେ ଉପା ସରକାରର ୧୧ ପ୍ରତିଶତ ଜିଏସଟି ବ୍ୟବସ୍ଥା ଲାଗୁ କରାଇବାକୁ ବିଜେପି ବିରୋଧ କରିଥିବା ବେଳେ ମୋଦି ୨୮ ପ୍ରତିଶତ ଜିଏସଟି ଲାଗୁ କରାଇ ବଜାର ମୂଲ୍ୟରେ ଝଡ଼ ସୃଷ୍ଟି କରାଇ ଦେଲେ । ସେହିପରି ବିଦେଶରୁ କଳାଧନ ଫେରାଇ ଆଣିବାରେ ବିଫଳ ହୋଇଥିବା ବେଳେ ତାଙ୍କ ସରକାରରେ ପୁଞ୍ଜିପତିମାନେ ଲକ୍ଷଲକ୍ଷ କୋଟି ଟଙ୍କା ଧରି ବିଦେଶ ପଳାଇ ଗଲେ । କଳାଧନକୁ ରୋକିବା ଦିଗରେ ବିମୂଦ୍ରାୟନ ଦେଶରେ ଶତାଧିକ ଜନସାଧାରଣଙ୍କ ଜୀବନ ନେଇଥିବା ବେଳେ ଗୋଟାଏ ଟଙ୍କାର କଳାଧନକୁ ଠାବ କରାଯାଇ ପାରିଲା ନାହିଁ । ବର୍ଷରେ ଦୁଇ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତିକୁ ରକ୍ଷା କରିବା ବଦଳରେ ଜନସାଧାରଣଙ୍କ ନିକଟରୁ ନିଯୁକ୍ତିକୁ ଛଡ଼ାଇ ନେଲେ, ଫଳରେ ବେକାରୀ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି । ମୋଦି ସରକାରରେ ଦେଶରେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ, ପାକିସ୍ଥାନ ଓ ଚୀନ ସୀମାନ୍ତରେ ଅସ୍ଥିରତା ଆଦି ବୃଦ୍ଧି, ଗୋରକ୍ଷା ନାମରେ ଜନସାଧାରଣଙ୍କ ଉପରେ ଅତ୍ୟାଚାର, ବେଟୀ ପଢ଼ାଓ- ବେଟି ବଞ୍ଚାଓ ନାରା ପ୍ରହସନ ପାଲଟି ଯାଇଛି । ଦେଶରେ ନାବାଳିକା ଶିଶୁମାନେ ଗଣଦୁଷ୍କର୍ମର ଶିକାର ପାଲଟିଛନ୍ତି । ସାଧାରଣ ଜନାତାଙ୍କ ପଇସାରେ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଭ୍ରମଣ ସହିତ ବିଳାଶପୂର୍ଣ୍ଣ ଜୀବନଯାପନ କରିଆସୁଛନ୍ତି ବୋଲି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ରଥଙ୍କ ନେତୃତ୍ୱରେ ଆୟୋଜିତ ବିଶ୍ୱ ବିଶ୍ୱାସ ଘାତକ ଦିବସ ପାଳନ ଅବସରରେ ସିଡ଼ବ୍ଲୁ୍ୟସିର ସଦସ୍ୟା ତଥା ପୂର୍ବତନ ଏମପି ସୁଶୀଳା ତିରିଆ ଯୋଗଦେଇ ମତ ବକ୍ତ କରିିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଜୟ ମହାପାତ୍ର, ଜ୍ୟୋତି ପ୍ରକାଶ ରଥ, ସ୍ୱରୂପ ମିଶ୍ର, ମହିଳା ନେତ୍ରୀ ସସ୍ମିତା ଘୋଷାଲ ପ୍ରମୁଖ ବିଜେପି ସରକାରର ବିଫଳତାର ବିଭିନ୍ନ ଦିଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ଭାବେ ସମାଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅରବିନ୍ଦ ଦାସ, ସେକ ମୁସ୍ତାକ, ଈତିଶ୍ରୀ ମିଶ୍ର, ପ୍ରଦୀପ ମିଶ୍ର, ଛାତ୍ର ନେତା ବିକାଶ ମହାଭୋଇ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.