କରୋନା ଆତଙ୍କଠୁ ବଳାଇ ଯାଉଛି ମୃତ୍ୟୁ ଯନ୍ତ୍ରଣା

0

ପୁଅଙ୍କୁ ନେଇଗଲା କରୋନା, ପୁଅଙ୍କୁ ଝୁରି ଆଖି ବୁଜିଦେଲେ ବାପା

  ବଲାଙ୍ଗିର/ ନିରୋଜ ମିଶ୍ର  : କରୋନା ଓ ଅନ୍ୟାନ୍ୟ ରୋଗ କାରଣରୁ ବଲାଙ୍ଗିର ଜିଲାରୁ ଜଣେ ପରେ ଜଣେ ଆଖି ବୁଜୁଛନ୍ତି। ଶନିବାର ବଲାଙ୍ଗିର ସହରର ଜଣେ ଯୁବ ବ୍ୟବସାୟୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଆଉ ରବିବାର ଦୁଃଖ ଦୁଇ ଗୁଣା ହୋଇଯାଇଛି। ଏକମାତ୍ର ପୁଅର ଶେଷ ଦର୍ଶନ କରିପାରି ନଥିବା ବାପା ଚିନ୍ତାରେ ଆଖି ବୁଜି ଦେଇଛନ୍ତି। ଏହାକୁ ନେଇ ବଲାଙ୍ଗିରରେ 

ବଲାଙ୍ଗିର ଟିକ୍ରାପଡ଼ା ମସଜିଦ୍ ଛକରେ ରହନ୍ତି ପ୍ରଦୀପ ମିତ୍ତଲ। ଯୌଥ ପରିବାରରେ ରହନ୍ତି ଶ୍ରୀ ମିତ୍ତଲ। ତାଙ୍କ ଏକମାତ୍ର ପୁଅ ଅମିତ(୩୬)। ବଲାଙ୍ଗିର ଦୈନିକ ବଜାରରେ ଅମିତ ମେଡିସିନ୍ ଷ୍ଟୋରର ମାଲିକ। ବେଶ ଜଣାଶୁଣା ଅମିତ ବନ୍ଧୁବତ୍ସଳ ଓ ଭଗବାନ ବିଶ୍ୱାସୀ। କିଛି ମାସ ତଳେ ଅନଲାଇନ୍ ଠକେଇର ଶିକାର ବି ହୋଇଥିଲେ ସେ। ତେବେ କିଛି ଦିନ ତଳେ ସ୍ୱାସ୍ଥ୍ୟ ଖରାପ ହେବାରୁ ଅମିତ କୋଭିଡ-୧୯ ପରୀକ୍ଷା କରାଇଥିଲେ। ସେ ସଂକ୍ରମିତ ଥିବା ଜଣାପଡିଥିଲା। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଉଦ୍ବେଗଜନକ ହୋଇଥିଲା। ଏହାପରେ ତାଙ୍କୁ ବରଗଡର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ବି କୌଣସି ସୁଧାର ନଆସିବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ସେ କରୋନା ସହ ଲଢି ପରାସ୍ତ ହୋଇଗଲେ। ଅମିତଙ୍କ ମୃତ୍ୟୁ ଖବର ବଲାଙ୍ଗିରରେ ପ୍ରଚାରିତ ହୋଇଗଲା। ହେଲେ ପରିବାର ଲୋକେ ତାଙ୍କ ଶେଷ ଦର୍ଶନ କରିପାରିଲେ ନାହିଁ। ରାଉରକେଲାରେ ହିଁ ତାଙ୍କର ଶେଷକୃତ୍ୟ କରିଦିଆଗଲା। ମାନସିକ ଚିନ୍ତାରେ ଥିବା ଅମିତଙ୍କ ବାପା ପ୍ରଦୀପ ମିତ୍ତଲଙ୍କ ସ୍ୱାସ୍ଥ୍ୟବସ୍ଥା ବି ଖରାପ ହୋଇଥିଲା। ଆଉ ରବିବାର ଦିନ ପୁଅର ମୃତ୍ୟୁକୁ ଗ୍ରହଣ କରି ନପାରି ଚିନ୍ତାରେ ଆଖି ବୁଜିଦେଲେ ବାପା। ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗିରରେ ଶୋକର ପରିବେଶ। ବଲାଙ୍ଗିର  ଜିଲା ବଣିକ ସଂଘ ସହ ସାଥୀ, ସଂପର୍କୀୟମାନେ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ବନ୍ଧୁବର୍ଗଙ୍କ ଉପସ୍ଥିତିରେ ରବିବାର ରାତିରେ ମୃତ ପ୍ରଦୀପ ମିତ୍ତଲଙ୍କ ଶେଷକୃତ୍ୟ କରାଯାଇଛି। ଯୌଥ ପରିବାରରେ ରହିଥିଲେ ବି ଘରେ ଅମିତଙ୍କ ପତ୍ନୀ, ୨ ପୁଅ ଝିଅ ଓ ମା’ ଅଛନ୍ତି। ମିତ୍ତଲ ପରିବାରର ହସଖୁସି କରୋନା ଯୋଗୁଁ ଦୁଃଖରେ ପରିଣତ ହୋଇଥିବାରୁ ଅନେକେ ସେମାନଙ୍କ ପରିବାରକୁ ସମବେଦନା ଜଣାଉଛନ୍ତି।

Leave A Reply

Your email address will not be published.