http://www.youtube.com/watch?v=kyrzumG_MTc&t=6s
ଶେଷ ଦିନରେ ଜିଲ୍ଲା ଭାଜପା ୟୁନିଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେପି ୟୁନିଟ୍ ଓ ଜିଲ୍ଲା ଯୁବ-ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତ ବର୍ଷର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୦ ତମ ଜନ୍ମଦିନ ଉତ୍ସବ ପାଳନର ସେବା-ସପ୍ତାହର ଶେଷ ଦିନରେଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉପଦେଷ୍ଟା ମହନ୍ତ ମହାରାଜ ରାମାନନ୍ଦ ଦାସ ଜୀ ଏବଂ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ଭାଜପା ୟୁନିଟ୍ ସଭାପତି ଶ୍ରୀ କେ. ନାରାୟଣ ରାଓ ମିଳିତ ଭାବେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟତଃ କଦମ୍ବ , କରଞ୍ଜ , ଅଁଳା , ଚାକୁଣ୍ଡା ପ୍ରଭୃତି ବହୁ ଉପାଦେୟ ବୃକ୍ଷ ସବୁ ରୋପଣ କରାଯାଇଥିଲା ।
ଏହି ଅବସରରେ ବିଧାୟକ ଶ୍ରୀ ନାରାୟଣ ରାଓ କହିଥିଲେ ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୦ ତମ ଜନ୍ମଦିବସ ସପ୍ତାହ-ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳନ କରାଯାଉଛି । ସେଗୁଡିକ ମଧ୍ୟରେ , ସ୍ୱଚ୍ଛ ପରିବେଶ ଓ ସ୍ୱଚ୍ଛ ପରିମଳ ଅଭିଯାନ , ରକ୍ତଦାନ ଶିବିର , ଗରିବଙ୍କୁ ଫଳବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଦଳୀୟ ସମସ୍ତ ନେତା ଓ କର୍ମୀ ମାନଙ୍କୁ ବାର୍ତ୍ତା ଦିଆଯାଉଛି ଯେ , ବୃକ୍ଷରୋପଣ କରିବା ଦ୍ୱାରା ପରିବେଶ ଠିକ ରହିବ , ତେଣୁ ଆମେ ସମସ୍ତେ ପ୍ରତ୍ୟେକେ ବୃକ୍ଷରୋପଣ କରିବା ଦିଗରେ ସାମିଲ ହେବା , ପରିଶ୍ରମ କରିବା ସହ ସମସ୍ତଙ୍କୁ ଆବଶ୍ୟକ କ୍ଷେତ୍ରରେ ସେବା ଓ ସହାୟତା ଯୋଗାଇଦେବା ଦିଗରେ ନିଜକୁ ଚେଷ୍ଟିତ କରିବା ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମୁଲି ଗୋପାଳ ରାଓ , ପାରଳା ପୌରପରିଷଦ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ତ୍ରିପତି ନାୟକ , ଯୁବ ସଭାପତି ବାବୁନା ବେହେରା , ନଗର ସଭାପତି ଜମିଦାର ପଟ୍ଟନାୟକ , ଜଗା ମହାପାତ୍ର , କେ.ପୁଣ୍ୟବତୀ , ପ୍ରଶାନ୍ତ ପାଳ, ଶିଶୁ ବିଦ୍ୟା ମନ୍ଦିରର ଅନ୍ୟତମ ଉପଦେଷ୍ଟା ଅନାଦି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କେ.ଶରତ , କେ.ଯୁବରାଜ ଓ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।