ଚାଇଲ୍ଡଲାଇନ ହସ୍ତକ୍ଷେପ ପରେ ବନ୍ଦ ହେଲା ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବିଟିଏମ୍  ଫାଣ୍ଡି ଅଞ୍ଚଳର ହଂସାମୁରା କଣ୍ଟାପାଲି ଗ୍ରାମରେ ଆଜି ଦୁଇଟି ପକ୍ଷଙ୍କ ମଧ୍ୟରେ ହେବାକୁ ଯାଉଥିବା ଏକ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ବାବଦରେ ଖବର ପାଇ  ଚାଇଲ୍ଡଲାଇନ କେନ୍ଦ୍ର ଏହାକୁ ରୋକିବାରେ ସଫଳ ହୋଇଛନ୍ତି। ଖବର ମୁତାବକ, ଆଜି ସକାଳ ୧୦ଟାରେ କେହି ଜଣେ ବ୍ୟକ୍ତି ହଂସାମୁରା କଣ୍ଟାପାଲି ଗ୍ରାମରେ ପୋଷ୍ୟ ସନ୍ତାନ ଗ୍ରହଣର ଏକ ପ୍ରକ୍ରିୟା ଚାଲୁଥିବା ବିଷୟରେ ସ୍ଥାନୀୟ ଚାଇଲ୍ଡଲାଇନର ହେଲ୍ପ ଲାଇନ ନମ୍ବର ୧୦୯୮କୁ ଫୋନ କରି ଜଣାଇଥିଲେ। ଖବର ପାଇ ସଂସ୍ଥାର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ଜ୍ୟୋତ୍ସ୍ନା ପ୍ରଧାନ ଓ ଡୋଳାମଣି ସେଠ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ଏକ ୮ ମାସର ଶିଶୁକୁ ନେବା ପାଇଁ ଗୋଟିଏ ଦମ୍ପତ୍ତି ବଡ଼ମାଲରୁ ଓ ଅନ୍ୟ ଏକ ଦମ୍ପତ୍ତି ଭୁର୍କାମୁଣ୍ଡାରୁ ଆସିଥିଲେ। ଶିଶୁଟିର ମାଆର ଗତକାଲି ମୃତ୍ୟୁ ହୋଇ ଯାଇଥିବାରୁ ତାର ପିତା ଶିଶୁଟିକୁ ଲାଳନ ପାଳନ କରିବାରେ ନିଜକୁ ଅସମର୍ଥ ଦର୍ଶାଇ ଏହାକୁ ଆଉ କାହାକୁ ଦେଇ ଦେବା ପାଇଁ ଚାହୁଁଥିଲା । ପ୍ରେମ ବିବାହ କରିଥିବାରୁ ସେ ଏଠାକୁ ଆସି ମଜୁରୀ କାମ କରୁଥିଲା ଏବଂ ଏଠାରେ ତାର କେହି ନିକଟ ସମ୍ପର୍କୀୟ ନ ଥିବାରୁ ସେ ଶିଶୁଟିକୁ ଲାଳନ ପାଳନ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତା, ଏହା ଅପେକ୍ଷା କୌଣସି ଦମ୍ପତ୍ତିଙ୍କୁ ଶିଶୁଟିକୁ ଦେଇ ଦେଲେ, ଶିଶୁଟି ଭଲ ଭାବରେ ପାଳିତ ହୋଇପାରିବ ବୋଲି ସେ ଚିନ୍ତା କରୁଥିଲା। ମାତ୍ର ଚାଇଲ୍ଡଲାଇନ କର୍ମକର୍ତ୍ତା ସେମାନଙ୍କୁ ବେଆଇନ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣର ଆଇନଗତ ଦିଗ,ଦଣ୍ଡବିଧାନ ଓ ପ୍ରକୃତ ପ୍ରକ୍ରିୟା ବିଷୟରେ ବୁଝାଇ ଶିଶୁଟିକୁ ନିଜ ହେପାଜତରେ ନେଇ ବିଟିଏମ୍ ଫାଣ୍ଡିରେ ସୂଚନା ଦେବା ସହିତ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ। ଏହାପରେ ଶିଶୁଟିକୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ପଠାଇ ଦିଆଯାଇଛି। 

ଚାଇଲ୍ଡଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସମସ୍ତଙ୍କୁ ଏହିପରି ବେଆଇନ ଶିଶୁ ସନ୍ତାନ ଗ୍ରହଣ କରିବାରୁ ନିବୃତ ରହି ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.