ବ୍ରଜରାଜନଗର ମ୍ୟୁନିସିପାଲିଟିର ପେନସନ୍ ବିଭାଗ ଉପରେ ଦୁର୍ନୀତିର ଅଭିଯୋଗ ଆଣିଲା ଯୁବ କଂଗ୍ରେସ। 

0

ଝାରସୁଗୁଡ଼ା:(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରପରିଷଦରେ ଦୁର୍ନୀତି ଅଭିଯୋଗ ଥମିବାର ନାମ ନେଉନାହିଁ। ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବା କ୍ରମ ଏପର୍ଯ୍ୟନ୍ତ ଜାରି ରହିଛି। ଏକ ନୂତନ ଅଭିଯୋଗ ଅନୁଯାୟୀ ପୌର ପରିଷଦର ପେନସନ ବିଭାଗରେ ବ୍ୟାପକ ଅନିୟମିତତା ହୋଇଥିବା କହିଛି ଯୁବ କଂଗ୍ରେସ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ। 

ସୂଚନାନୁସାରେ, ବ୍ରଜରାଜନଗର ମ୍ୟୁନିସିପାଲିଟିର ପେନସନ ବିଭାଗ ଦ୍ବାରା ଠିକ୍ ସମୟରେ ଭତ୍ତା ପ୍ରଦାନ କରାଯାଉନାହିଁ। ଏହା ସହିତ ହିତାଧିକାରୀ ମାନଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ ହରକତ କରାଯିବା ସହ ସେମାନଙ୍କୁ ଅପମାନିତ କରାଯାଉଛି। ମଧୁବାବୁ ପେନସନ୍ ଯୋଜନା ମାଧ୍ୟମରେ ଯଦିବା ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାଙ୍କୁ ପେନସନ୍ ଯୋଗାଇ ଦେବାର ବ୍ୟବସ୍ଥା ରହିଛି, ତଥାପି ସଂପୃକ୍ତ ଅଧିକାରୀଙ୍କ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଜିଲ୍ଲା ଯୁବ କଂଗ୍ରେସ ଅଭିଯୋଗ କରିଛି। ଏହା ବ୍ୟତୀତ ପେନସନ ଅଧିକାରୀ ରାଜନୈତିକ ଅଭିସନ୍ଧି ରଖି କାର୍ଯ୍ୟ କରିବା ସହ ତାଙ୍କ ପଦବୀର ଅପବ୍ୟବହାର କରୁଛନ୍ତି ବୋଲି ଯୁବ କଂଗ୍ରେସର ଅଭିଯୋଗ। ତେଣୁ ତାଙ୍କୁ ତୁରନ୍ତ ଏଠାରୁ ସ୍ଥାନାନ୍ତରିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରାଯାଇଛି।  ରାଜନୈତିକ ଅଭିସନ୍ଧି ରଖି ବର୍ତମାନ ଦାୟିତ୍ୱରେ ଥିବା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଉନାହିଁ । ଅତଏବ ଯେଉଁ କର୍ମଚାରୀ ଓ ଅଧିକାରୀମାନେ ହିତାଧିକାରୀଙ୍କୁ ହଇରାଣ ଓ ଅପମାନିତ  କରୁଛନ୍ତି,ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ବ୍ରଜରାଜନଗରର ପୂର୍ବତନ ଯୁବ କଂଗ୍ରେସ ସଭାପତି ଜୀବନ ସାର୍ଥକ ଓରଫ ଗୁଡୁ ଦାସଙ୍କ ସମେତ କିରଣ କୁମାରୀ ଦାସ, ସୁହାନ କୁମାର, ସଚିନ କୁମାର, ଅକ୍ଷୟଲାଲ, କୁମାର ସାନୁ ପାଣ୍ଡେ, ସଞ୍ଜୟ ସାହା।

Leave A Reply

Your email address will not be published.