ପାନୀୟ ଜଳ, ଗାଧୋଇବା ସମସ୍ୟା: ମହିଳାଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ, ଧାରଣା ।

0

14-05-18-pani-w.jpg - 97.52 kBଭଟଲି/ନୀଳ ଦୀପ : ବରଗଡ଼ ଜିଲା ଭଟଲି ବ୍ଲକ୍‌ କମଗାଁ ପଞ୍ଚାୟତ ଅନ୍ତର୍ଗତ କର୍ଲାଜୋରୀ ଗ୍ରାମରେ ଉଭୟ ପାନୀୟ ଜଳ ଏବଂ ଗାଧୋଇବା ପାଇଁ ଉଦ୍ଦିଷ୍ଟ  ଜଳ ସମସ୍ୟା ଦିନକୁ ଦିନ ଉତ୍କଟ  ହେବାରେ ଲାଗିଛି। ଫଳରେ ସୋମବାର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯେଉଁ ମାତ୍ରାରେ ବଢ଼ିବଢ଼ି ଚାଲିଛି ଅଞ୍ଚଳବାସୀ ସେହି ପରିମାଣରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଉତ୍ତର ଦିଗରେ ରହିଥିବା ପୋଖରୀ(ନୂଆଁବନ୍ଧ) ଶୁଷ୍କ ହୋଇପଡ଼ିଥିବାରୁ ଗାଧୋଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଗ୍ରାମର ୱାର୍ଡ଼ ନମ୍ବର-୧ ରେ ଥିବା ଏକମାତ୍ର ନଳକୂପ ଉପରେ ସମସ୍ତ ଗ୍ରାମବାସୀ ଉଭୟ ପିଇବା ଏବଂ ଗାଧୋଇବା ପାଇଁ ନିର୍ଭର କରୁଥିବାରୁ ଗ୍ରାମର ମହିଳାମାନଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗ୍ରାମର ଗୃହପାଳିତ ପ୍ରାଣୀମାନଙ୍କୁ ମଧ୍ୟ ଗାଧୋଇବାରେ ଅସୁବିଧା ହେଉଛି। ଏହାର ପ୍ରତିକାର ଦାବିରେ ସୋମବାର ଗ୍ରାମର ମହିଳାମାନେ ଭଟଲି ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଛନ୍ତି। ଗ୍ରାମର ହିମାଦ୍ରୀ ଖମାରୀ, ସୂର୍ଯ୍ୟ ଭୁଏ, ଦୁଳାବତି ସାହୁ, ଚୁମ୍‌କି ବିଶାଲ, ସନ୍ତୋଷିନୀ କର୍ମୀ, ନିରାସୀ ଭୁଏ, ମିଥିଲା ବାଗ୍‌, ପ୍ରଦୀପ ପଧାନ, ବିନୋଦିନୀ ଭୋଇ, ଡାକ୍ତର ବିଶି ଏବଂ ଆମ୍‌ ଆଦମୀ ପାର୍ଟିର ଜିଲା ସଂଯୋଜକ ଭବାନୀ ସାହୁ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ପ୍ରକାଶଥାଉକି ଗତ ୭ତାରିଖ ଏହି ମହିଳାମାନେ ବରଗଡ଼ ଜିଲାପାଳ କାର୍ଯ୍ୟାଳୟକୁ ଯାଇ ଏନେଇ ଅଭିଯୋଗ କରିଥିଲେ। ତଥାପି ସାତ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟହୋଇ ଭଟଲି ବ୍ଲକକୁ ଆସି ଧାରଣାରେ ବସିଛନ୍ତି। ଏନେଇ ସ୍ଥାନୀୟ ଏବିଡିଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଆମ ପାଖରେ ଅଭିଯୋଗ ନ ଥିଲା, ଅଭିଯୋଗ ପାଇବା ପରେ ତୁରନ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ କର୍ଲାଜୋରୀ ପଠାଯାଇଛି। କିଛି ଘଣ୍ଟା ପରେ ପାନୀୟ ଜଳ ଏବଂ ଗାଧୋଇବା ସମସ୍ୟା ଦୂର ହୋଇଯିବ ବୋଲି ପ୍ରକାଶ କରିଥିଲେ।

 

Leave A Reply

Your email address will not be published.