ଧାନ ସଂଗ୍ରହ ଆରମ୍ଭରୁ ଅନିୟମିତତା, ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ।

0

ବରଗଡ଼(ନୀଳ ଦୀପ) -ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ କିଭଳି ଅନିୟମିତତା ଚାଲିଛି, ସେଭଳି ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମଣ୍ଡିକୁ ଆସିବା ପରିବର୍ତ୍ତେ ସିଧାସଳଖ ଅତାବିରା ଅଞ୍ଚଳର ଏକ ରାଇସ ମିଲକୁ ଯାଉଥିବା ଏକ ଧାନ ବୋଝେଇ ଟ୍ରକ୍ଟର ଧରାପଡ଼ିଛି। ଅଭିଯୋଗ ପରେ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଜିଲା ଯୋଗାଣ ଅଧିକାରୀ(ସିଏସଓ) ଶ୍ରୀକର ମାଝିଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଯୋଗାଣ ବିଭାଗର ଅଧିକାରୀମାନେ ଏହାର ଛାନଭିନ ଆରମ୍ଭ କରିଛନ୍ତି। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ରାଇସ ମିଲକୁ ଧାନ ନ ଦେବା କିମ୍ବା ସେଠାରୁ ଧାନ ନ ଉଠାଇବା ପାଇଁ ଜିଲା ଯୋଗାଣ ଅଧିକାରୀ ଶ୍ରୀକର ମାଝି ବରଗଡ଼ ଓ ପଦ୍ମପୁର ସମବାୟ ଉପନିବନ୍ଧକ(ଡିଆରସିଏସ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ଧାନ ବୋଝେଇ ଟ୍ରାକ୍ଟରଟି ରେଙ୍ଗାଲି କ୍ୟାମ୍ପର ବିଜୟଲକ୍ଷ୍ମୀ ରାଇସ୍‌ ମିଲକୁ ଯାଇଥିବା ଅଭିଯୋଗ ହେବା ପରେ ଯୋଗାଣ ଅଧିକାରୀମାନେ ସେହି ମିଲର ଷ୍ଟକ୍‌ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ନିର୍ଦ୍ଧାରିତ ପରିମାଣରୁ ଅଧିକ ୧୮୨୭ କୁଇଣ୍ଟାଲ ଧାନ ମିଲରେ ମହଜୁଦ ଥିବା ଜଣାପଡ଼ିଥିଲା। ଅନିୟମିତତା ଧରାପଡ଼ିବା ପରେ ସମ୍ପୃକ୍ତ ରାଇସ ମିଲ୍‌ ମାଲିକଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି। ଶୁକ୍ରବାର ଅତାବିରା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଚାଷୀନେତା ବିରେନ୍ଦ୍ର କର, ପ୍ରଦୀପ ପ୍ରଧାନ ପ୍ରମୁଖ ଜିଲାପାଳଙ୍କୁ ଫେରାଦ ହୋଇ କାର୍ଯାନୁଷ୍ଠାନ ଦାବି କରିଥିଲେ। ଜିଲାପାଳ ତ୍ରିପାଠୀ ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ରିପୋର୍ଟ ଆସିଲେ ତାକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଚାଷୀଙ୍କୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ବିଧାୟକ ମହାନନ୍ଦ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.