ଶ୍ରୀରାମ ନବମୀ ଯାତ୍ରା ୮ମ ସନ୍ଧ୍ୟା :  ଲଙ୍କା ଆକ୍ରମଣ ପାଇଁ ଅଷ୍ଟାବଧାନଙ୍କ ସହ ବିଚାର ବିମର୍ଷ 

0 1

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥ  ଅଷ୍ଟାବଧାନ ବେଶ ଅନୁଷ୍ଠିତ  ହୋଇ ଯାଇଛି । ପ୍ରଭୁ ଶ୍ରୀରାମ ସୀତାଙ୍କ ଅନୁରୋଧ ରକ୍ଷାକରିବାକୁ ଯାଇ ମାୟାମୃଗ ପଛରେ ଚାଲିଯାଇଥିଲେ । ମାତ୍ର ଲଙ୍କପତି ରାବଣର ନିର୍ଦ୍ଦେଶରେ ମାୟା ରଚିଥିବା ମାରିଚରୂପୀ ମୃଗ ପ୍ରଭୁଙ୍କୁ ବହୁ ଦୁରକୁ ନେଇଯିବା ପରେ ପ୍ରଭୁଙ୍କ ତିରରେ ଆହତ ହୋଇ ପୂର୍ବ ନିଷ୍ପତ୍ତି  ଅନୁସାରେ ତ୍ରାହିଲକ୍ଷ୍ମଣ ତ୍ରାହିଲକ୍ଷ୍ମଣ ଡାକ ଦେଇଥିଲା । ଏପରି ଡାକ ଶୁଣି ସ୍ୱାମୀ କୈାଣସି ବିପଦରେ ପଡିଛନ୍ତି ସନ୍ଦେହ  କରି ମାତା ସୀତା  ଅନୁଜ ଲକ୍ଷ୍ମଣଙ୍କୁ ସେଠାକୁ ଯିବାପାଇଁ ବାଧ୍ୟ କରିଥିଲେ । ବହୁ ବାରଣ ସତ୍ୱେ ମାତା ସୀତାଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣ ତିନିଗାର ଟାଣିଦେଇ ଭାଇଙ୍କୁ ରକ୍ଷାକରିବାକୁ ଚାଲିଯାଇଥିଲେ । ଏହି ସମୟରେ ଲଙ୍କପତି ରାବଣ ଛଦ୍ମ ବେଶରେ ଆସି ଛଳନାରେ ସୀତାଙ୍କୁ ପୁୁଷ୍ପକ ବିମାନରେ ବସାଇ ଲଙ୍କାକୁ ନେଇଯାଇଥିଲା । ସାରା ବନଭୁବନ ଖୋଜିଥିଲେ ମଧ୍ୟ ସୀତାଙ୍କୁ ଠାବ କରିନପାରି ଦୁଇଭାଇ ଅରଣ୍ୟ ମଧ୍ୟରେ ଏଣେତେଣେ ଘୁରିବୁଲୁଥିବା ବେଳେ ଆହତ ଜଟାୟୁଙ୍କ ଠାରୁ ଲଙ୍କପତି ରାବଣ ସୀତାଙ୍କୁ ଚୋରିକରିନେଇଥିବାର ଖବର ପାଇଥିଲେ । ସୀତାଙ୍କ ମୁକ୍ତି ପାଇଁ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଭକ୍ତ ହନୁମାନଙ୍କ ସହୟତାରେ ବାନରରାଜ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କରିଥିଲେ । ଏବଂ ବାଳିକୁ ବଦ୍ଧକରି ଶୁଗ୍ରୀବଙ୍କୁ କିଷ୍କିନ୍ଧ୍ୟାର ରାଜ ସିଂହାସନରେ ଅଭିଷିକ୍ତ  କରିଥିଲେ । ଭକ୍ତ ହନୁମାନ ସାତସମୁଦ୍ର ଲଙ୍ଘି ସୀତାଙ୍କୁ ଠାବ କରିବା ପରେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସୁଗ୍ରୀବ, ହନୁମାନ, ଜାମ୍ବବାନ, ଅଙ୍ଗଦ, ବିଭୀଷଣ, ନଳ, ନୀଳ, ସୁଶେଣ ଆଦି ଅଷ୍ଟସେନାଙ୍କ ସହିତ ଲଙ୍କା ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାର ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ଆସନ୍ତା କାଲି ସନ୍ଧ୍ୟାରେ ଶ୍ରୀରଘୁନାଥ ଯୁଦ୍ଧଯାତ୍ରା ବେଶ ଅନୁଷ୍ଠିତ ହେବ । ଏବର୍ଷ କରୋନା ଭୁତାଣୁ ସଂକ୍ରମଣ କାରଣରୁ ରାବଣପୋଡି ଓ ଆତସବାଜି ସମାରୋହ ମଧ୍ୟ ଅନୁଷ୍ଠିତ  ନ କରିବାକୁ ପ୍ରଶାସନର ନିର୍ଦ୍ଦେଶ ରହିଛି । 

Leave A Reply

Your email address will not be published.