ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା) ଭାରତ ବର୍ଷରେ ଏଭଳି କୌଣସି ରାଜ୍ୟ ନାହିଁ ଯେଉଁଠାରେ ଶାସକ ଶାସିତର ଭାଷା ଜାଣେନାହିଁ।ଖାଲି ଭାରତ ନୁହେଁ ସମଗ୍ର ପୃଥିବୀରେ ମଧ୍ୟ ଏଭଳି ଦୃଷ୍ଟାନ୍ତ ନାହିଁ।ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କାହିଁକି ଓଡ଼ିଆ ଜାଣିନାହାନ୍ତି ପଚାରିଲେ ,ତାଙ୍କ ଦଳ ତରଫରୁ କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଲୋକପ୍ରିୟ ଆଉ ବାରମ୍ବାର ନିର୍ବାଚନ ଜିତୁଛନ୍ତି।
ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣିବା ,ଓଡ଼ିଆରେ କହିବା ଓ ଓଡ଼ିଶାର ଅଧିବାସୀ ଓଡ଼ିଆ ମାନଙ୍କ ସହ ମିଶିବା ରାଜ୍ୟ ପାଇଁ ,ରାଜ୍ୟର ବିକାଶ ଓ ସ୍ୱାଭିମାନ ପାଇଁ ବଡ ଆବଶ୍ୟକତା।ଆମ ଦେଶର ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ମାତୃଭାଷାରେ କଥା ହେଉଥିବା ବେଳେ ଓ ତାଙ୍କ ରାଜ୍ୟର ଶାସନ ତାଙ୍କ ମାତୃଭାଷାରେ ଚାଲୁଥିବା ବେଳେ ଓଡିଶା ହେଉଛି ଏହାର ଏକ ବ୍ୟତିକ୍ରମ।ଏହା ଅତ୍ୟନ୍ତ ଲଜ୍ୟାଜନକ।
ଯେଉଁ ରାଜ୍ୟରେ ଶତକଡା ୯୫ ପ୍ରତିଶତ ଲୋକ ଶାସନ କ୍ଷେତ୍ରରେ ପ୍ରଚଳିତ ଇଂରାଜୀ ଭାଷା ଜଣନ୍ତିନାହିଁ , ସେଠାରେ ସେମାନେ ବୁଝିପାରୁନଥିବା ଭାଷାରେ ଶାସନ ଚାଲିଲେ ସେମାନେ ନ୍ୟାୟ ପାଇପାରିବେ ତ ? ଏଭଳି ପ୍ରଶ୍ନ କରିଛି ବିଜେପି।
ଓଡ଼ିଆକୁ ସରକାରୀ ଭାଷା ଭାବେ ପ୍ରଚଳନ କରିବାକୁ ଦୀର୍ଘଦିନ ଧରି ବିଭିନ୍ନ ସଂଗଠନ ଓ ବ୍ୟକ୍ତିମାନଙ୍କ ଦ୍ୱାରା ଆନ୍ଦୋଳନ ଚାଲିବା ଫଳରେ ସରକାର ବାଧ୍ୟହୋଇ ଏହାର ପ୍ରଚଳନ ପାଇଁ ରାଜି ହେଲେ।ସରକାରଙ୍କ ଆନ୍ତରିକତା ଅଭାବରୁ ଶାସନ କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ପ୍ରଚଳିତ ହୋଇନାହିଁ।ଓଡିଆଭାଷା ଆଜି ସଂକଟରେ।ସରକାର ମୁଖ୍ୟଙ୍କ ଏଭଳି ଆଭିମୁଖ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ , ସରକାରଙ୍କ ଶାସନ ଠାରୁ ଆରମ୍ଭକରି ସବୁ କ୍ଷେତ୍ରରେ ଓଡିଆମାନେ ନ୍ୟାୟ ପାଇବାପାଇଁ ,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଓ ସମୃଦ୍ଧି ନିମନ୍ତେ ଓଡ଼ିଆ ଭାଷାକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବା ଦରକାର।
ଏଭଳି କହି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟ କରିଥିଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ଏହି ସାମ୍ବାଦିକ ସମ୍ମିଳନୀ ସୁଦୀପ୍ତ ରାଇ, ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।