ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ: ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିବାରୁ  ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ | ବୁଧବାର ରାଜଭବନରେ ରାଜ୍ୟପାଳଙ୍କୁ ସମ ହସ୍ପିଟାଲ ର ଡାକ୍ତରୀ ଟିମ ସାକ୍ଷାତ କରିଥିବାବେଳେ ପ୍ରଫେସର ଲାଲ ଯକୃତ ପ୍ରତ୍ୟାରୋପଣ ପ୍ରସଙ୍ଗରେ ଆନନ୍ଦ ବ୍ୟକ୍ତ କରିବା ସହ ସମ ହସ୍ପିଟାଲ ପକ୍ଷରୁ ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ | 

ରାଜ୍ୟପାଳଙ୍କୁ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଗ୍ୟାସଟରୋଏଣ୍ଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ, ଗ୍ୟାସଟରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ପ୍ରେମାନନ୍ଦ ପଟନାୟକ, ରେଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ସତ୍ୟ ସୁନ୍ଦର ମହାପାତ୍ର, କ୍ରିଟିକାଲ କେୟାର ବିଭାଗର କନ୍ସଲଟାଣ୍ଟ ଡାକ୍ତର ସନ୍ତୋଷ କୁମାର ସିଂହ ଏବଂ ଗ୍ୟାସଟରୋଏଣ୍ଟେରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ଦେବକାନ୍ତ ମିଶ୍ର ପ୍ରମୁଖ ରାଜଭବନ ରେ ସାକ୍ଷାତ ଆଲୋଚନା କରିଥିଲେ | 

ଗତ ମାର୍ଚ୍ଚ 5 ତାରିଖରେ ସମ ହସ୍ପିଟାଲ ପକ୍ଷରୁ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ର ସହଯୋଗରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା | ଯକୃତ ରୋଗରେ ପୀଡିତ ଥିବା ବାଲେଶ୍ୱର ନୀଳଗିରି ଅଂଚଳର ଜୟନ୍ତ ବିଶ୍ୱାଳ ଙ୍କ ଶରୀରରେ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା |  ତାଙ୍କ 19 ବର୍ଷୀୟ ପୁଅଙ୍କ ଯକୃତର କିଛି ଅଂଶ ଜୟନ୍ତଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ ଡାକ୍ତରୀ ଟିମ | ଉଭୟ ଜୟନ୍ତ ଏବଂ ତାଙ୍କ ପୁଅ ଏବେ ସୁସ୍ଥ ଅଛନ୍ତି | 

Leave A Reply

Your email address will not be published.