କଂଗ୍ରେସ ଅଭିଯୋଗକୁ ପରୋକ୍ଷରେ ମାନିଲେ ସାଂସଦ, କାର୍ଯ୍ୟାନୁଷ୍ଠାନ କେବେ – କଂଗ୍ରେସ

0 2

ଅନୁଭବଙ୍କ ଜାଲି ପ୍ରମାଣପତ୍ର ପ୍ରସଙ୍ଗ

ଭୁବନେଶ୍ୱର (ଶାସକ ପ୍ରଶାସକ) – ଜାଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ସୂଚନା ଅଧିକାର ଆଇନ୍ ତଥ୍ୟକୁ ନେଇ ଗତକାଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ସାଂସଦ ଯେଉଁ ଲିଖିତ ପ୍ରେସ୍ ଇସ୍ତାହାର ଦେଇଛନ୍ତି, ସେଥିରେ ପରୋକ୍ଷରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ବୋଲି କଂଗ୍ରେସ ନେତା ତଥା ଆଇନ୍ଜୀବୀ ନିଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ଆଶା କରାଯାଉଥିଲା ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ସାଂସଦ ସମସ୍ତ ଦସ୍ତାବିଜ୍ ସହ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ପ୍ରମାଣପତ୍ର ଦେଖାଇ ପ୍ରତିପକ୍ଷଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରିବେ । କିନ୍ତୁ ତାହା ନକରି ନିଜର ପୁରୁଣା ଶୈଳୀରେ ଆଇନକାନୁନ  ବାଏଁ ବାଏଁ ଉଡାଇ ଦେବା ପାଇଁ ଚେଷ୍ଟା କରିଛନ୍ତି । କଂଗ୍ରେସ ଯେଉଁ ତିନୋଟି କଥାକୁ ନେଇ ସାଂସଦଙ୍କୁ ଚ୍ୟାଲେଂଚ୍ କରିଛି ତାହା-

• ସାଂସଦଙ୍କର ବି.ଏ ସାର୍ଟିଫିକେଟ୍ ବୈଧ କି ନୁହେଁ ।

• ବିନା ମାଇଗ୍ରେସନ୍ ସାର୍ଟିଫିକେଟ୍ରେ ଏକ ରାଜ୍ୟ ବାହାରର ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଲେ କେମିତି?

• ରେଜିଷ୍ଟେ୍ରସନ ନଂ – ୧୪୧୦୮/୨୦୦୩ ରେ ସାଂସଦ ଅନୁଭବ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କନ୍ଦରପୁର କଲେଜର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ପାସ୍ କରିନଥିବା କଥା ସତ କି ମିଛ?

ଏ ସମସ୍ତ ପ୍ରଶ୍ନର ଉତର କିନ୍ତୁ ସାଂସଦ ଦେଇନାହାନ୍ତି । ବରଂ ଆଇନ୍ ଅନୁଯାୟୀ ସେ ତାଙ୍କର ଶିକ୍ଷା ସମାପ୍ତ କରି ତଦନୁଯାୟୀ ସତ୍ୟପାଠ ମାଧ୍ୟମରେ ନିର୍ବାଚନ କମିଶନଙ୍କ ନିକଟରେ ଦେଇଥିବା କଥା ସଫେଇ ଦେଇଛନ୍ତି ଓ କଂଗ୍ରେସ ଅସହିଷ୍ଣୁତା ହୋଇ ଏଭଳି ଅଭିଯୋଗ କରିଛି ବୋଲି କହୁଛନ୍ତି ।

ପ୍ରଦେଶ କଂଗ୍ରେସ ପଚାରି ଥିବା କୌଣସି ଗୋଟିଏ ଉତର ସାଂସଦ ଦେଇପାରିନଥିବା ବେଳେ ନବୀନ ବାବୁଙ୍କ ଭାବମୂର୍ତି ଓ କେନ୍ଦ୍ରାପଡାର ବିକାଶ କଥା ଟାଳି ଦେବାକୁ ଚେଷ୍ଟା କରିଛନ୍ତି । ଯଦି କଂଗ୍ରେସ କରିଥିବା ଅଭିଯୋଗ ମନଗଢ଼ା ଏବଂ ଉଦ୍ଦେଶ୍ୟ  ପ୍ରଣୋଦିତ, ତେବେ ସାଂସଦ ଆଇନର  ଆଶ୍ରୟ ନ ନେଇ କ’ଣ ପାଇଁ ଖସିଯିବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଆଇନ୍ର ଆଶ୍ରୟ ନେଲେ ତାଙ୍କ ଅସଲ ଚେହେରା ପଦାରେ ପଡିଯିବ । ତେଣୁ ସିଧା ସଳଖ ନହେଲେ ମଧ୍ୟ ପରୋକ୍ଷରେ କଂଗ୍ରେସ କରିଥିବା ଅଭିଯୋଗକୁ ସାଂସଦ ସ୍ୱୀକାର କରିଛନ୍ତି ଏବଂ ସ୍ୱଚ୍ଛତା ଏବଂ ସାଧୁତାର ଡିଣ୍ଡିମ ପିଟୁଥିବା ନବୀନ ବାବୁ କେବେ କାର୍ଯାନୁଷ୍ଠାନ  ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜିନେଶ ଦାସ, ନରେଶ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.