ହେଡଲାଇନସ୍:

ଜୁନ୍ ମାସ ହେଲା, ମିଳୁନି ଭତ୍ତା : ବ୍ୟାଙ୍କ ଓ ବ୍ଲକ୍‌କୁ ଧାଇଁ ଧାଇଁ ନିରାଶ ହିତାଧିକାରୀ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ୯ ହଜାରରୁ ଉର୍ଦ୍ଧ୍ବ ଭତ୍ତା ପାଉଥିବା ବୃଦ୍ଧ, ବିଧବା, ସ୍ୱାମୀ ପରିତ୍ୟକ୍ତା ଓ ଭିନ୍ନକ୍ଷମ ହିତାଧିକାରୀମାନେ ଗତ ତିନି ମାସ ଧରି ଭତ୍ତା ରାଶି ନପାଇ ଘୋର ଦୁର୍ଦ୍ଦଶାରେ ଦିନ କାଟୁଥିବା ଅଭିଯୋଗ ହୋଇଛି। ମାର୍ଚ୍ଚ ମାସ ପରେ ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ଜମା ହୋଇନଥିବାରୁ ହିତାଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ବ୍ୟାଙ୍କ ଓ ବ୍ଲକ୍‌ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିରାଶ ହୋଇ ଫେରୁଛନ୍ତି। ଭତ୍ତା ହେଉଛି ଏହି ଅସହାୟ ଶ୍ରେଣୀର ଲୋକଙ୍କ ଜୀବନ ଜୀବିକାର ପ୍ରମୁଖ ଆଧାର। ଔଷଧ କିଣିବା, ଖାଦ୍ୟ ସାମଗ୍ରୀ ଆଣିବା କିମ୍ବା ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ସେମାନେ ଏହି ଭତ୍ତା ଉପରେ ନିର୍ଭରଶୀଳ। ତିନି ମାସ ଧରି ଭତ୍ତା ବନ୍ଦ ରହିଥିବାରୁ ଅନେକଙ୍କ ପାଖରେ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। କେତେକ ହିତାଧିକାରୀ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ପାଇଁ ମଧ୍ୟ ସଂଘର୍ଷ କରୁଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆଜିର ସମୟରେ ନିୟମିତ ବେତନ ପାଉଥିବା କର୍ମଚାରୀମାନେ ମଧ୍ୟ ମାସ ଶେଷରେ ଦରମା ପାଇଁ ଅପେକ୍ଷା କରନ୍ତି। ଏପରି ସ୍ଥିତିରେ କେବଳ କିଛି ହଜାର ଟଙ୍କା ଭତ୍ତା ଉପରେ ନିର୍ଭର କରୁଥିବା ଅସହାୟ ଲୋକମାନେ ତିନି ମାସ ଧରି ଟଙ୍କା ନପାଇ କିପରି ଜୀବନ ଯାପନ କରୁଥିବେ, ତାହା ସହଜରେ ଅନୁମାନ କରାଯାଇପାରେ। ଏପରିକି କେତେକ ହିତାଧିକାରୀଙ୍କ ପାଖରେ ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଭୋଜନ କରିବାକୁ ମଧ୍ୟ ଅର୍ଥ ନଥିବାରୁ ସେମାନେ ଅନ୍ୟଙ୍କ ସହାୟତା ଉପରେ ନିର୍ଭର କରୁଛନ୍ତି। ତେଣୁ ସରକାର ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ବକେୟା ଭତ୍ତା ରାଶି ଶୀଘ୍ର ପ୍ରଦାନ କରିବା ସହ ଏହାର କାରଣ ସ୍ପଷ୍ଟ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଏହାର ଶୀଘ୍ର ସମାଧାନ ହେଲେ ଶତାଧିକ ଅସହାୟ ଲୋକ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

0
0
0
s2sdefault