;
ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଦେଶ ଓ ସମାଜର ମଙ୍ଗଳ କାମନା
ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ଶ୍ରୀ ରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପରେ ମଳମାସର ଦ୍ୱିତୀୟ ପୁରୁଷୋତ୍ତମ ଏକାଦଶୀ ଅବସରରେ ବୈଦିକ ବ୍ରାହ୍ମଣ ସମାଜ, ଓଡ଼ଗାଁ ପକ୍ଷରୁ ଗୀତା ପାଠ ଓ ବିଷ୍ଣୁ ସହସ୍ରନାମ ପାଠ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ପବିତ୍ର କଳଶ ସ୍ଥାପନା ସହ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ବିଧିବଦ୍ଧ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ରୋଚ୍ଚାରଣ କରାଯାଇଥିଲା। ପରେ ସମବେତ ଭାବେ ହନୁମାନ ଚାଳିଶା ପାଠ ହେବା ସହ ସମଗ୍ର ପରିବେଶ ଭକ୍ତିରସରେ ମୁଖରିତ ହୋଇଉଠିଥିଲା। ଏହାପରେ ଭଗବଦ୍ଗୀତା ପାଠ ଏବଂ ବିଷ୍ଣୁ ସହସ୍ରନାମ ଜପ ମାଧ୍ୟମରେ ଶ୍ରୀହରିଙ୍କ ମହିମା ସ୍ମରଣ କରାଯାଇଥିଲା।
ଭକ୍ତମାନଙ୍କର ସମବେତ ନାମସଙ୍କୀର୍ତ୍ତନ ଓ ଶାସ୍ତ୍ର ପାଠ ଶ୍ରବଣ କରି ଉପସ୍ଥିତ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶାନ୍ତି ଓ ଆନନ୍ଦର ଅନୁଭୂତି ଲାଭ କରିଥିଲେ। ବୈଦିକ ବ୍ରାହ୍ମଣ ସମାଜର ସଭାପତି ଶରତ ଚନ୍ଦ୍ର ନନ୍ଦ ଏବଂ ସମ୍ପାଦକ ଫକୀର ମୋହନ ମିଶ୍ରଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ଏହି ଅବସରରେ ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ମହେଶ୍ୱର ମହାପାତ୍ର, ବିଜୟ କୁମାର ରଥ, ଭାଗିରଥି କର, ରଞ୍ଜନ କୁମାର ଦାଶ, ସାରସ କୁମାର ମିଶ୍ର, ରଶ୍ମି ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀଜିଉଙ୍କ ନିକଟରେ ଅର୍ପିତ ଏକାଦଶୀ ଭୋଗ ସମସ୍ତ ଭକ୍ତ ଓ ସଦସ୍ୟମାନେ ମିଳିତ ଭାବେ ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଚଳିତ ମଳମାସରେ ମେ’ ୨୭ ତାରିଖ ବୁଧବାର ଦିନ ପ୍ରଥମ ପୁରୁଷୋତ୍ତମ ଏକାଦଶୀ ପାଳିତ ହୋଇଥିବା ବେଳେ ଆଜି ଦ୍ୱିତୀୟ ପୁରୁଷୋତ୍ତମ ଏକାଦଶୀ ଅବସରରେ ଦେଶ ଓ ସମାଜର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରାଯାଇଥିଲା।
ଏହି ଭକ୍ତିମୟ ଆୟୋଜନ ସନାତନ ଧର୍ମର ପରମ୍ପରା, ଆଧ୍ୟାତ୍ମିକ ଚେତନା ଓ ସାମୂହିକ ଧାର୍ମିକ ଏକତାର ଏକ ସୁନ୍ଦର ପ୍ରତିଫଳନ ସୃଷ୍ଟି କରିଥିଲା।







