ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ପଞ୍ଚମ ଦିନରେ ତିନୋଟି ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ମ୍ୟାଚ୍ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ପ୍ରଥମ ମ୍ୟାଚ୍ରେ ଏକ୍ସଷ୍ଟ୍ରିମ୍ ବ୍ଳାଷ୍ଟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୪ ଉଇକେଟ ବିନିମୟରେ ୧୪୮ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବବୁଲ ୩୧ ବଲରେ ୭୬ ରନ୍ ଓ ମହେନ୍ଦ୍ର ୧୮ ବଲରେ ୪୯ ରନ୍ କରି ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଜବାବରେ ଇଗଲ୍ ଫାଇଟର ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୮୯ ରନ୍ରେ ସୀମିତ ରହିଥିଲା। ଫଳରେ ଏକ୍ସଷ୍ଟ୍ରିମ୍ ବ୍ଳାଷ୍ଟର ୫୯ ରନ୍ରେ ବିଜୟୀ ହୋଇଥିଲା। ବବୁଲଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ମ୍ୟାଚ୍ରେ ଡାଇନୋମିକ କିଙ୍ଗ୍ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୮୪ ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ଜୟ ଶିବ୍ ଦଳ ୧୦ ଓଭରରେ ୯ ଉଇକେଟ ହରାଇ ୬୮ ରନ୍ କରିପାରିଥିଲା। ଏହା ଫଳରେ ଡାଇନୋମିକ କିଙ୍ଗ୍ ୧୬ ରନ୍ରେ ବିଜୟ ହାସଲ କରିଥିଲା। ବାଣୀଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।
ଆଜି ଦିନର ତୃତୀୟ ମ୍ୟାଚ୍ରେ ଓଡ଼ଗାଁ ପଲଟନ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୭୮ ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀରାମ ସ୍ପୋର୍ଟସ କ୍ଲବ୍ ମାତ୍ର ୬ ଓଭରରେ ୨ ଉଇକେଟ ହରାଇ ୭୯ ରନ୍ ସଂଗ୍ରହ କରି ୮ ଉଇକେଟରେ ସହଜ ବିଜୟ ହାସଲ କରିଥିଲା।
ଚନ୍ଦନ, ସୌରଭ, ଉମାକାନ୍ତ, ମାତୃପ୍ରସାଦ, କିସନ, ରାମନାଥ, ସାଇପ୍ରସାଦ, ଆରିୟନ ଓ ରାଜୁ ଗୁଡୁ ମ୍ୟାଚ୍ଗୁଡ଼ିକୁ ସଫଳତାର ସହ ପରିଚାଳନା କରିଥିଲେ। ଆସନ୍ତା ଶୁକ୍ରବାର ବ୍ଳାକ ହଣ୍ଟର ଓ ବିଷ୍ଟ ଏକାଦଶ, ଆଇକନ ଷ୍ଟାର୍ ଓ ଡୋମିନାଟିଙ୍ଗ ଫ୍ରେଣ୍ଡସ, ତଥା ଲିଜେଣ୍ଡ ଏମ୍ପୋରିଅର ଓ ବ୍ରଦର୍ସ ଇଲେଭେନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
ରାଜ୍ୟ
ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ପଞ୍ଚମ ଦିନରେ ଏକ୍ସଷ୍ଟ୍ରିମ୍ ବ୍ଳାଷ୍ଟର, ଡାଇନୋମିକ କିଙ୍ଗ୍ ଓ ଶ୍ରୀରାମ ସ୍ପୋର୍ଟସ କ୍ଲବ୍ ବିଜୟୀ,
- Hits: 73







