ଓଡ଼ଗାଁର ୨ ଛାତ୍ରୀଙ୍କ ଠାରୁ ୧୫ ହଜାରରୁ ଅଧିକ ଟଙ୍କା ଠକିନେଲେ ଦୁର୍ବୃତ୍ତ

ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ +୨ ଦ୍ୱିତୀୟ ବର୍ଷ ନାମଲେଖା (ଆଡମିଶନ) ନାଁରେ ସାଇବର ଠକେଇର ଏକ ଘଟଣା ସାମ୍ନାକୁ ଆସିଛି। ସାଇବର ଠକଙ୍କ ଜାଲରେ ପଡ଼ି ଓଡ଼ଗାଁ ଅଞ୍ଚଳର ଦୁଇଜଣ ଛାତ୍ରୀ ପୃଥକ ଭାବେ ୭,୫୬୫ ଟଙ୍କା ଲେଖାଏଁ ହରାଇଥିବା ବେଳେ ଉଭୟେ ମୋଟ ୧୫,୧୩୦ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ଦାଖଲ ହୋଇଛି।
ସୂଚନା ଅନୁଯାୟୀ, କେହି ସାଇବର ଠକ ୯୮୬୧୮୦୧୭୮୪ ନମ୍ବରରୁ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ଫୋନ କରି ଦ୍ୱିତୀୟ ବର୍ଷ ନାମଲେଖା ପାଇଁ ସମୟ ଅତ୍ୟନ୍ତ କମ୍ ଥିବା କହି ଶୀଘ୍ର ଟଙ୍କା ପଠାଇବାକୁ କହୁଥିଲେ। ଉକ୍ତ ନମ୍ବରଟି ଟ୍ରୁକଲରରେ “ପ୍ରିନ୍ସିପାଲ ସାର” ନାମରେ ପ୍ରଦର୍ଶିତ ହେଉଥିବାରୁ ଅନେକ ଛାତ୍ରଛାତ୍ରୀ ଏହାକୁ ସତ୍ୟ ବୋଲି ବିଶ୍ୱାସ କରିଥିଲେ।
ଠକମାନେ ପଠାଇଥିବା ସ୍କାନର (QR କୋଡ୍) ମାଧ୍ୟମରେ ଓଡ଼ଗାଁ ଅଞ୍ଚଳର ଦୁଇଜଣ ଛାତ୍ରୀ ପୃଥକ ଭାବେ ୭,୫୬୫ ଟଙ୍କା ଲେଖାଏଁ ଅନଲାଇନ୍ ପେମେଣ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ଘଟଣାଟି ଚର୍ଚ୍ଚାକୁ ଆସିବା ପରେ ଏହା ଏକ ସୁପରିକଳ୍ପିତ ସାଇବର ଠକେଇ ଯୋଜନା ବୋଲି ଜଣାପଡ଼ିଥିଲା।
ଠକେଇର ଶିକାର ହୋଇଥିବା ଦୁଇ ଛାତ୍ରୀ ପରେ ଓଡ଼ଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବଢ଼ାଇବା ସହ ଯେକୌଣସି ଆଡମିଶନ ଫି କିମ୍ବା ଶିକ୍ଷା ସମ୍ବନ୍ଧୀୟ ଅର୍ଥ କାରବାର ପୂର୍ବରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସହ ସିଧାସଳଖ ଯୋଗାଯୋଗ କରି ସତ୍ୟତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।







