ହେଡଲାଇନସ୍:

ଜୁନ୍ ୨୮ରେ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେବ ବ୍ୟାପକ ପଲ୍‌ସ ପୋଲିଓ ଟୀକାକରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା : ଜିଲ୍ଲାରେ ଆଗାମୀ ଜୁନ୍ ୨୮ ତାରିଖରେ ହେବାକୁ ଥିବା ତୀବ୍ରୀକୃତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ "ଜିଲ୍ଲା ଟାସ୍କ ଫୋର୍ସ" ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ଜୁନ୍ ୨୦୨୬ ମାଇକ୍ରୋ ପ୍ଲାନ, ବିଭିନ୍ନ ବିଭାଗର ସହଯୋଗିତା ଏବଂ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି। କୌଣସି ବି ଶିଶୁ ଯେପରି ଏହି ଟୀକାକରଣରୁ ବଞ୍ଚିତ ନ ହେବେ, ସେଥିପାଇଁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ ସଂଶ୍ଳିଷ୍ଟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ତଥ୍ୟ ଅନୁଯାୟୀ, ଚଳିତ ଜୁନ୍ ରାଉଣ୍ଡରେ ଜିଲ୍ଲାର ମୋଟ ୩୮,୦୭୬ ଜଣ ୦ ରୁ ୫ ବର୍ଷ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସମଗ୍ର ଜିଲ୍ଲାରେ ୫୧୭ଟି ପୋଲିଓ ବୁଥ୍ ପ୍ରତିଷ୍ଠା କରାଯାଉଥିବା ବେଳେ ୧୦୯୦ ଜଣ ଟୀକାକରଣ କର୍ମୀ ଏବଂ ୫୯ ଜଣ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି। ଜୁନ୍ ୨୮ ତାରିଖ (ରବିବାର) ଦିନ ବୁଥ୍ ମାଧ୍ୟମରେ ଏବଂ ପରବର୍ତ୍ତୀ ଜୁନ୍ ୨୯ ଓ ୩୦ ତାରିଖରେ ଟୀକାକରଣ ଦଳ ଘରକୁ ଘର ବୁଲି ବଳକା ଶିଶୁଙ୍କୁ ଦୁଇ ବୁନ୍ଦା ଟୀକା ପ୍ରଦାନ କରିବେ। ଏଥିସହିତ ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଭଳି ଗହଳି ସ୍ଥାନ ପାଇଁ ୧୨ଟି ଟ୍ରାଞ୍ଜିଟ୍ ଟିମ୍ ଏବଂ ଇଟାଭାଟି, ନିର୍ମାଣ ସ୍ଥଳ ତଥା ଦୁର୍ଗମ ଅଞ୍ଚଳରେ ରହୁଥିବା ଅସ୍ଥାୟୀ ବାସିନ୍ଦା ଓ ପ୍ରବାସୀ ଶିଶୁଙ୍କ ପାଇଁ ୭ଟି ମୋବାଇଲ୍ ଟିମ୍ ନିୟୋଜିତ କରାଯାଇଛି।

ଏହି ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଅନ୍ୟ ସମସ୍ତ ସହଯୋଗୀ ବିଭାଗର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗକୁ ଅଙ୍ଗନୱାଡ଼ି କର୍ମୀଙ୍କ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିବାକୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସରକାରୀ ତଥା ବେସରକାରୀ ପ୍ଲେ-ସ୍କୁଲଗୁଡ଼ିକରେ ପୋଲିଓ ଦଳକୁ ଯାଞ୍ଚ ସହ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପୂର୍ବ ରାଉଣ୍ଡରେ ସ୍କୁଲଗୁଡ଼ିକରେ ରହିଯାଇଥିବା ଅଭାବକୁ ସଧାରିବା ପାଇଁ ଏକ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

0
0
0
s2sdefault