ହେଡଲାଇନସ୍:

ମିଲେଟ୍ ଚାଷ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • * ରୋଜଗାରକ୍ଷମ ହେଉଛନ୍ତି ମହିଳା; ୮୯ ଲକ୍ଷ ଟଙ୍କାର ବ୍ୟବସାୟ

  • * ଜୈବିକ ପ୍ରଣାଳୀରେ ଚାଷ ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବିତ କରୁଛି

  • * ମହିଳାଙ୍କ ଆୟ, ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ


ବ୍ରହ୍ମପୁର,ମଇ: ଭାରତର ଗ୍ରାମାଞ୍ଚଳରେ ମିଲେଟ୍ ଦୀର୍ଘ ଦିନ ଧରି ପୋଷଣ ଓ ଜୀବିକାର ପ୍ରତୀକ ହୋଇ ରହିଆସିଛି । ଅନେକ ଜନଜାତି ଓ କୃଷକ ସଂପ୍ରଦାୟ ଏହାକୁ କେବଳ ଏକ ଶସ୍ୟ ନୁହେଁ, ବରଂ ସେମାନଙ୍କର ଅଭିନ୍ନ ଜୀବନଶୈଳୀ ଭାବେ ଆପଣାଇଛନ୍ତି । ଏଣୁ ଜନଜାତି ବର୍ଗଙ୍କର ଏହି ଶସ୍ୟ ପରମ୍ପରାକୁ ପ୍ରେରଣା ଯୋଗାଇବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ମିଲେଟ୍ ଚାଷ ନିମନ୍ତେ ଜନଜାତି ମହିଳାମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଯାହା ଧିରେ ଧିରେ ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରୁଥିବା ଦେଖାଯାଉଛି ।


କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ୧୩ଟି ଗ୍ରାମ ଯେପରି, ଦାଦିଆପଦର, ଘୁମାରବେଡ଼ା, ବନଗୁଡ଼ା, ଉଦୁଲୁଗୁଡ଼ା, କାଙ୍ଗରପାର, ରଙ୍ଗାନିଗୁଡ଼ା, ମିନାରବାଲି, ସାପଗୁଡ଼ା, କେନ୍ଦୁଗୁଡ଼ା, ଗତଗୁଡ଼ା, ଗୁମ୍ମା, ଭେଜାଗୁଡ଼ା ଓ ମାଝିଗୁଡ଼ାରେ କମ୍ପାନୀ ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିପାରିଛି । ମହିଳା ଚାଷୀମାନଙ୍କୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରି କମ୍ପାନୀ ଗ୍ରାମୀଣ ଅର୍ଥନୀତିକୁ ପୁନର୍ଜୀବିତ କରୁଛି । ଜୈବିକ ପଦ୍ଧତି, ପ୍ରଶିକ୍ଷଣ, ଓ ବଜାର ସହାୟତାରେ ପାରମ୍ପରିକ ଫସଲକୁ ଅଗ୍ରାଧିକାର ଦିଆଯାଉଛି । ଦାଦିଆପଦରର ଜଣେ ମହିଳା ଚାଷୀ, ନୀଳବତୀ ପରଜା ଟିପିଏସ୍ଓଡିଏଲର ପ୍ରଶଂସା କରି କହିଛନ୍ତି ଯେ, " ଆମେ ମାଣ୍ଡିଆ ଚାଷ ବହୁ ବର୍ଷରୁ କରିଆସୁଛୁ । ହେଲେ ଏହା ଏତେ ଲାଭଦାୟକ ହୋଇପାରିବ ତାହା ବିଶ୍ୱାସ ନଥିଲା । ଜୈବିକ ପଦ୍ଧତିରେ ଚାଷ, ପ୍ରଶିକ୍ଷଣ ଓ ବଜାର ସହାୟତା କାରଣରୁ ଆମେ ଅଧିକ ଅର୍ଥ ଉପାର୍ଜନ କରିପାରୁଛୁ ।"


ଟିପିଏସ୍ଓଡିଏଲ୍ ଓ ଏହାର ତୃଣମୂଳ ସ୍ତରର ସହଯୋଗୀ ‘ପ୍ରଗତି’ର ସହାୟତାରେ ପ୍ରାୟ ୫୦୦ ମହିଳା ଚାଷୀ ଜୈବିକ ଓ ଉନ୍ନତ କୃଷି ପ୍ରଣାଳୀ ବ୍ୟବହାର କରି ପ୍ରାୟ ୨୫୦ ଏକର ଜମିରେ ମିଲେଟ୍ ଚାଷ କରିଥିଲେ । ମାଣ୍ଡିଆ ମଞ୍ଜି, ପ୍ରାକୃତିକ ସାର, ଯନ୍ତ୍ରପାତି ଓ ସ୍ଥାନୀୟ ଭାବେ ଉପଲବ୍ଧ ସମ୍ୱଳକୁ ବ୍ୟବହାର କରି କମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଯାହାଫଳରେ କମ୍ପାନୀକୁ ଉଲ୍ଲେଖନୀୟ ସଫଳତା ମିଳିଛି । କ୍ୱିଣ୍ଟାଲ ପିଛା ଅମଳ ପୂର୍ବରୁ ୪ କ୍ୱିଣ୍ଟାଲ୍ ରହିଥିବା ବେଳେ ତାହା ୯ କ୍ୱିଣ୍ଟାଲ୍ ଅତିକ୍ରମ କରିଛି । ସମୁଦାୟ ୩ ହଜାର ୬୭ କ୍ୱିଣ୍ଟାଲ ଶସ୍ୟ ଅମଳ ହୋଇଛି ।


୫୦୦ ମହିଳାଙ୍କ ମଧ୍ୟରୁ ୧୩୧ ଜଣ ମହିଳା ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାରୀ ମଣ୍ଡିରେ ମାଣ୍ଡିଆ ବିକ୍ରି କରି ୮୯ ଲକ୍ଷରୁ ଅଧିକ ଟଙ୍କା ଆୟ କରିଛନ୍ତି । କମ୍ପାନୀ ସେମାନଙ୍କୁ ଏକ୍ଷେତ୍ରରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲା ଯାହାଫଳରେ ବିନା ମଧ୍ୟସ୍ଥିରେ ସିଧାସଳଖ ଲାଭ ମହିଳା ଚାଷୀମାନଙ୍କ ନିକଟରେ ପହଞ୍ଚିପାରିଛି । ଧିରେ ଧିରେ ଅଧିକ ସଂଖ୍ୟକ ମହିଳାମାନେ ଟିପିଏସ୍ଓଡିଏଲର ଏହି ଉଦ୍ୟମ ସହ ଯୋଡ଼ି ହେବାକୁ ଆଗ୍ରହ ଦେଖାଉଛନ୍ତି ।


ସ୍ଥାୟୀ ଅଭିବୃଦ୍ଧି ଓ ବଜାର ଶକ୍ତି ସୁନିଶ୍ଚିତ କରିବା ନିମନ୍ତେ ୨୫୨ ଜଣ ମହିଳାଙ୍କୁ ଜୈବିକ ଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ଅଂଶୀଦାର କରାଯାଇଛି । ଯାହା ଫଳରେ ଚାଷୀମାନେ ଶସ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରିପାରୁଛନ୍ତି । ଏହାସହ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ ମଧ୍ୟ ସ୍ଥାପନ କରାଯାଇଛି । ଶସ୍ୟକୁ ପାଉଡରରେ ପରିଣତ କରି ପ୍ୟାକେଜିଂ କରି ବିକ୍ରି କରାଯାଉଛି । ଏଥିନିମନ୍ତେ କମ୍ପାନୀ ଡସ୍କିଂ, ଗ୍ରାଇଣ୍ଡିଂ ଓ ପ୍ୟାକେଜିଂ ମେସିନର ବ୍ୟବସ୍ଥା କରିଛି ।


ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, "ଆମର ଭୂମିକା କେବଳ ବିଦ୍ୟୁତ ଯୋଗାଣରେ ସୀମିତ ନୁହେଁ । ଉପଭୋକ୍ତା ସଂପ୍ରଦାୟକୁ ସଶକ୍ତ କରିବା ଦିଗରେ ଆମେ ସଦା ପ୍ରଚେଷ୍ଟାରତ । ମହିଳା ଚାଷୀମାନଙ୍କୁ ସଠିକ ଉପକରଣ ଓ ସୁଯୋଗ ପ୍ରଦାନ କରାଯିବା ଦ୍ୱାରା ସେମାନଙ୍କ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆସିବା ସହ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ବଳ ମିଳୁଛି ।"


ଜାତୀୟ ସ୍ତରରେ ମିଲେଟ୍ ତଥା ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଟିପିଏସ୍ଓଡିଏଲ୍ ନିଜ କାର୍ଯ୍ୟକ୍ଷେତ୍ର ମଧ୍ୟରେ ମହିଳାମାନଙ୍କୁ ସହାୟତା ପ୍ରଦାନ ପୂର୍ବରୁ ମିଲେଟ୍ ଚାଷକୁ ଆଗକୁ ବଢ଼ାଉଛି । ସ୍ଥାନୀୟ ପରମ୍ପରାକୁ ସ୍ଥାନୀୟ ଜ୍ଞାନ ଓ ସମ୍ୱଳର ବିନିଯୋଗରେ ଜୀବିକା ସୃଷ୍ଟି କରିବା ଦିଗରେ କମ୍ପାନୀ ନିଜର ପ୍ରୟାସ ଜାରି ରଖିଛି ।


ଦୋରାଗୁଡ଼ା ପଞ୍ଚାୟତର ମହିଳାମାନଙ୍କର କୃଷି ଉଦ୍ୟୋଗର ଏହି ଯାତ୍ରା ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରୁଛି, ମହିଳାଙ୍କ ନେତୃତ୍ୱରେ ସଂପ୍ରଦାୟର ସାର୍ବଙ୍ଗୀନ ବିକାଶ ଗ୍ରାମୀଣ ଅର୍ଥନୀତିର ରୂପରେଖକୁ ବଦଳାଉଛି । ଟିପିଏସ୍ଓଡିଏଲ୍ ମହିଳାଙ୍କୁ ସମ୍ମାନ ଓ ସୁଯୋଗ ପ୍ରଦାନ ପୂର୍ବକ ସେମାନଙ୍କ ଜୀବନକୁ ଆଲୋକିତ କରୁଛି ।

0
0
0
s2sdefault