ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ମରାକୁଟା ପଞ୍ଚାୟତ ସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନା ସମ୍ମୁଖରେ ସ୍ଥାନୀୟ ଗ୍ରାମବାସୀ ଓ ପୁରୁଣା କର୍ମଚାରୀଙ୍କ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଜମେରା, ମରାକୁଟା, ଏଚ୍ କଣ୍ଟାପାଲି ଗ୍ରାମ ପଞ୍ଚାୟତ ସହିତ ବ୍ରଜରାଜନଗର ପୌରାଞ୍ଚଳର ବହୁ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ବୁଧବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ସଦାକର କୁମ୍ଭାର ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଗ୍ରାମବାସୀ ଓ ପୁରୁଣା କର୍ମଚାରୀ ସଂଘ ପକ୍ଷରୁ ୯ ଦଫା ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।
ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଓଡ଼ିଶା ମେଟାଲିକ୍ସ କମ୍ପାନୀ ବିନା ଅନୁମତିରେ ଇବ ନଦୀରୁ ବେଆଇନ ଭାବେ ଜଳ ଉଠାଣ କରୁଛି। ସେହିପରି ୧୦ ଏକରରୁ ଅଧିକ ଜଙ୍ଗଲ ଜମି ଦଖଲରେ ରଖି ବ୍ୟବହାର କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ କମ୍ପାନୀ ପ୍ରଦୂଷଣ ସୃଷ୍ଟି କରୁଥିବା ଏବଂ ସ୍ଥାନୀୟ ଯୁବକମାନଙ୍କୁ ଅବହେଳା କରି ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଉଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ବାରମ୍ବାର ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କମ୍ପାନୀ ବିରୋଧରେ କୌଣସି କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ। ବରଂ ପ୍ରଶାସନ କମ୍ପାନୀକୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ରାଜନୈତିକ ଚାପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ ସାଧାରଣରେ ଆଲୋଚନା ହେଉଛି।
ଦାବିପତ୍ରରେ ଏମଏସପି କମ୍ପାନୀରୁ ଛଟେଇ ହୋଇଥିବା ପୁରୁଣା କର୍ମଚାରୀଙ୍କୁ ପୁନଃ ସ୍ଥାୟୀ ନିଯୁକ୍ତି, ବେଆଇନ ଭାବେ ଦଖଲ ହୋଇଥିବା ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିକୁ ମୁକ୍ତ କରିବା, ଜମିହରା ପରିବାରର ଜଣେ ସଦସ୍ୟଙ୍କୁ ଚାକିରି, ପ୍ରଦୂଷଣ ନିୟନ୍ତ୍ରଣ, ଇବ ନଦୀରୁ ବେଆଇନ ଜଳ ଉଠାଣ ବନ୍ଦ କରିବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଭଳି ଦାବି ସମ୍ମିଳିତ ରହିଛି।
ତହସିଲଦାର ସଦାକର କୁମ୍ଭାର କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କ ସମସ୍ତ ଦାବି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ସେହିପରି କମ୍ପାନୀକୁ ଅପରାହ୍ନ ୪ଟା ସୁଦ୍ଧା ଦାବିପତ୍ର ଉପରେ ସ୍ପଷ୍ଟ ଉତ୍ତର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
କମ୍ପାନୀ ପକ୍ଷରୁ ଆସୁଥିବା ଉତ୍ତରରେ ଗ୍ରାମବାସୀ ସନ୍ତୁଷ୍ଟ ହେବେ କି ଆନ୍ଦୋଳନ ଆହୁରି ତୀବ୍ର ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।







