ହେଡଲାଇନସ୍:

ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରଥମେ ଓସାରିଆ ରାସ୍ତା, ପରେ ପ୍ରାଚୀର ନିର୍ମାଣ ଦାବି,

  • ବିବାଦ ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର ଓ ପରିବହନ ନିଗମ ଟିମ୍


ଓଡ଼ଗାଁ, ୭।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ନିର୍ମାଣାଧୀନ ସରକାରୀ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣକୁ ନେଇ ମଠଖଜୁରିଆ ଓ କୁମ୍ଭିଆପଲ୍ଲୀ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କାମ ଅଧାରେ ଅଟକି ରହିଛି। ପ୍ରଥମେ ଦୁଇ ଗ୍ରାମ ପାଇଁ ଓସାରିଆ ବିକଳ୍ପ ରାସ୍ତା ନିର୍ମାଣ କରାଯାଉ, ତାପରେ ପ୍ରାଚୀର ନିର୍ମାଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଘଟଣାର ସମାଧାନ ପାଇଁ ଗୁରୁବାର ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଏନ୍‌ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁଙ୍କ ସହ ଓଡ଼ିଶା ପରିବହନ ନିଗମର ଆର୍ଥିକ ପରାମର୍ଶଦାତା ଦେବୀପ୍ରସାଦ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଦଳ ବିବାଦୀୟ ସ୍ଥଳ ପରିଦର୍ଶନ କରିଥିଲେ। ଅଧିକାରୀମାନେ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ସୂଚନା ଅନୁସାରେ, ମଠଖଜୁରିଆ ରାସ୍ତା ପାର୍ଶ୍ୱରେ ନିର୍ମାଣାଧୀନ ନୂତନ ଓଏସ୍‌ଆର୍‌ଟିସି ବସଷ୍ଟାଣ୍ଡ ପାଇଁ ସ୍ଥାନ ଚିହ୍ନଟ ସମୟରେ ଦୁଇ ଗ୍ରାମକୁ ସଂଯୋଗ କରୁଥିବା ପୁରୁଣା ରାସ୍ତାଟି ବସଷ୍ଟାଣ୍ଡ ପରିସର ମଧ୍ୟରେ ପଡ଼ିଯାଇଥିଲା। ଏହାର ବିକଳ୍ପ ଭାବେ ପୂର୍ବ ପାର୍ଶ୍ୱରେ ନୂତନ ରାସ୍ତା ନିର୍ମାଣ କରି ମୁଖ୍ୟ ରାସ୍ତା ସହ ସଂଯୋଗ କରିବାକୁ ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ନୂତନ ରାସ୍ତା ନିର୍ମାଣ ନକରି ସୁରକ୍ଷା ପ୍ରାଚୀର କାମ ଆରମ୍ଭ ହେବାରୁ ଗ୍ରାମବାସୀ ଆପତ୍ତି ଉଠାଇଥିଲେ। ଅନ୍ୟପଟେ, ପ୍ରସ୍ତାବିତ ନୂତନ ରାସ୍ତାର ଦୁଇଟି ସ୍ଥାନରେ ଘର ନିର୍ମାଣ ହୋଇଥିବାରୁ ରାସ୍ତା ସଙ୍କୁଚିତ ହେବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। ଫଳରେ ଗ୍ରାମବାସୀ ପ୍ରଥମେ ଓସାରିଆ ରାସ୍ତା ନିର୍ମାଣ, ପରେ ପ୍ରାଚୀର କାମ ସମ୍ପନ୍ନ କରିବାକୁ ଦୃଢ଼ ଦାବି କରି କାମକୁ ଅଟକାଇ ରଖିଛନ୍ତି। ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଶୁକ୍ରବାର ସକାଳେ ପୁନର୍ବାର ଘଟଣାସ୍ଥଳରେ ଅଧିକାରୀମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନର ପନ୍ଥା ବାହାର କରିବାକୁ ସ୍ଥିର କରିଛନ୍ତି। ଏହା ଦ୍ୱାରା ଦୀର୍ଘଦିନ ଧରି ଚାଲିଥିବା ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି।

0
0
0
s2sdefault